Categories: ଜାତୀୟ

୧୬% ବୟସ୍କା ମହିଳା ଦୁର୍ବ୍ୟବହାରର ଶିକାର

ନୂଆଦିଲ୍ଲୀ,୧୫।୬: ଦେଶରେ ମହିଳା ନିର୍ଯାତନାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳା ସଶକ୍ତୀକରଣ ପାଇଁ ଅନେକ ଯୋଜନା ଗଠନ ସତ୍ତ୍ୱେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର କମିପାରି ନାହିଁ। ଆଜି ବି ଅନେକ ସ୍ଥାନରେ ମହିଳା ନିର୍ଯାତିତା। ଏକ ଅଣସରକାରୀ ସଙ୍ଗଠନ (ଏନ୍‌ଜିଓ) ହେଲ୍ପଏଜ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଦେଶରେ ୧୬ ପ୍ରତିଶତ ବୟସ୍କା ମହିଳା ଦୁର୍ବ୍ୟବହାରର ଶିକାର ହେଉଛନ୍ତି।
ଉଭୟ ଶାରୀରିକ ଓ ମାନସିକ ଭାବେ ବୟସ୍କା ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜୁନ୍‌ ୧୫ରେ ପାଳନ ହେଉଥିବା ବିଶ୍ୱ ବୟସ୍କ ଦୁର୍ବ୍ୟବହାର ସଚେତନତା ଦିବସ ଅବସରରେ ଏନ୍‌ଜିଓ ତରଫରୁ ୬୦ରୁ ୯୦ ବୟସ ବର୍ଗର ମହିଳାଙ୍କୁ ନେଇ ଏହି ସର୍ଭେ କରାଯାଇଛି। ମେ’ରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଚାଲିଥିବା ଉକ୍ତ ସର୍ଭେରେ ଉଭୟ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୭,୯୧୧ ଜଣ ମହିଳାଙ୍କୁ ସାମିଲ କରାଯାଇଥିଲା।
ଦୁର୍ବ୍ୟବହାରର ଶିକାର ହେଉଥିବା ମୋଟ ବୟସ୍କ ମହିଳାଙ୍କର ୫୦%ଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଛି। ସେହିପରି ୪୬%ଙ୍କୁ ବେଖାତିର ବ୍ୟବହାର ପ୍ରଦର୍ଶନ କରାଯାଉଥିବାବେଳେ ୪୦%ଙ୍କୁ ମାନସିକ ଏବଂ ଆବେଗ ଜନିତ ନିର୍ଯାତନା ଭୋଗିବାକୁ ପଡ଼ୁଛି। ସର୍ଭେ ମୁତାବକ ୪୦% ମହିଳାଙ୍କୁ ସେମାନଙ୍କ ପୁଅ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାବେଳେ ୩୧%ଙ୍କୁ ସେମାନଙ୍କ ସମ୍ପର୍କୀୟ ଏବଂ ୨୭% ବୋହୂମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଜରିଆରେ ବୟସ୍କା ମହିଳା ନିର୍ଯାତନାର ଶିକାର ହେଉଥିବା ଏକ ଚିନ୍ତାଜନକ ବିଷୟ। ଭୟରେ ଏ ସମ୍ପର୍କରେ ଥାନାରେ କୌଣସି ପୀଡ଼ିତା ଅଭିଯୋଗ କରିନାହାନ୍ତି। ତେବେ ନିର୍ଯାତନା ବିରୋଧରେ ଥିବା ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ୭୮% ମହିଳା ଅବଗତ ନୁହନ୍ତି। ସମାଜରେ ଦେଖାଯାଉଥିବା ଏ ପ୍ରକାର ବ୍ୟତିକ୍ରମକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବୟସ୍କା ମହିଳାଙ୍କ ପାଇଁ ବିଶେଷ ପ୍ରକାର ସ୍କିମ ପ୍ରସ୍ତୁତ କରିବା ସହ ଏହା ବିରୋଧରେ କଠୋର ଆଇନ ଲାଗୁ କରିବାର ଆବଶ୍ୟକତା ଥିବା ହେଲ୍ପଏଜ୍‌ ଇଣ୍ଡିଆର ସିଇଓ ରୋହିତ ପ୍ରସାଦ କହିଛନ୍ତି।

Share