Categories: ଖେଳ

ଯୁବ ଓପନ ବାସ୍କେଟବଲରେ ୧୬ ଦଳ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ଯୁବ ଓପନ ବାସ୍କେଟବଲ ଟୁର୍ନାମେଣ୍ଟର ୧୨ତମ ସଂସ୍କରଣ ଚଳିତମାସ ୨୨ରୁ ଆରମ୍ଭ ହେବ। ମ୍ୟାଚଗୁଡ଼ିକ ଶହୀଦ ନଗରସ୍ଥିତ ଇମ୍ଫାପାର୍କସ୍ଥିତ ବାସ୍କେଟବଲ କୋର୍ଟରେ ଅନୁଷ୍ଠିତ ହେବ। ଲିଗ୍‌ ଏବଂ ନକ୍‌ଆଉଟ ଭିତ୍ତିରେ ଖେଳାଯିବାକୁଥିବା ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଏହା ମଧ୍ୟରେ ରାଜ୍ୟ ବାହାରର ୪ ଦଳ ସାମିଲ। ଅଂଶଗ୍ରହଣକାରୀ ୧୬ ଦଳକୁ ୪ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ‘ଏ’ରେ ଆୟୋଜକ ସନ୍‌ସାଇନ୍‌ ଯୁବ ଆସୋସିଏଶନ, କିଟ୍‌, ହାଇଦ୍ରାବାଦ ଓ ସୋଆ ଦଳ ରହିଛି। ସେହିପରି ଗ୍ରୁପ୍‌ ‘ବି’ରେ ପୁରୀ, ପାରଳାଖେମୁଣ୍ଡି, ଏକ୍ସଆଇଏମ୍‌ବି, ରାଉରକେଲା, ଗ୍ରୁପ୍‌ ‘ସି’ରେ ଏଣ୍ଟରଟେନର, ସାଇନିଂ ଷ୍ଟାର, ତାମିଲନାଡ଼ୁର ତ୍ରିବେଣୀ ଓ ଆନ୍ଧ୍ର ରେଲଓ୍ବେ ଦଳ ଇଷ୍ଟ ଗୋଦାବରୀ ରହିଥିବାବେଳେ ଗ୍ରୁପ୍‌ ‘ଡି’ରେ ସିଡିଏଏ, ଓଏସ୍‌ସି, ସେଲ୍‌ଟିକ୍ସ ଓ କାକିନାଡ଼ା ଆନ୍ଧ୍ର ଦଳ ସ୍ଥାନ ପାଇଛି। ପ୍ରତିଯୋଗିତା ଅବସରରେ ଓଡ଼ିଶାର ୬ ଜଣ ପ୍ରତିଷ୍ଠିତ ଖେଳାଳି କାମିନି ମୁଣ୍ଡା, ସୟଦ ତୁଫିଆଲ ଅହମ୍ମଦ, ଝିଲିଲତା ସେଣ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ମୀରା ହେମ୍ବ୍ରମ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ସମ୍ମାନିତ କରାଯିବ ବୋଲି ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଯୁବ ବାସ୍କେଟବଲ କ୍ଲବର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପାତ୍ର ପ୍ରକାଶ କରିଛନ୍ତି। ପ୍ରତିଯୋଗିତାର ଚାମ୍ପିୟନ ଦଳକୁ ୨୫,୦୦୦, ରନରଅପ୍‌କୁ ୧୫,୦୦୦ ଓ ଦ୍ୱିତୀୟ ରନରଅପ୍‌କୁ ୭,୦୦୦ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ ବୋଲି କ୍ଲବ ସଭାପତି ବିଶ୍ୱଜିତ ମହାନ୍ତି ଜଣାଇଛନ୍ତି। ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଦେବାଶିଷ ସାବ୍ୟସାଚୀ ଚକ୍ର, ଟୁର୍ନାମେଣ୍ଟ ସଂଯୋଜକ ଆଦର୍ଶ ପଟ୍ଟନାୟକ, ପରାମର୍ଶଦାତା ମିଥୁନ ସୟ, ସିଦ୍ଧାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କର୍ମକର୍ତ୍ତାମାନେ ପ୍ରତିଯୋଗିତାର ଜର୍ସି ଉନ୍ମୋଚନ କରିଥିଲେ।

Share