ଫିଲ୍ମ ଶୁଟିଂ ପାଇଁ ୧୬ ଟନ୍‌ ଟମାଟୋ, ମୂଲ୍ୟ ୧ କୋଟି ଟଙ୍କା

ମୁମ୍ବାଇ: ବର୍ତ୍ତମାନ ଟମୋଟୋର ଦର ଆକାଶଛୁଅଁା ରହିଛି। ସେଥିପାଇଁ ଲୋକେ ଟମାଟୋ କିଣିବାକୁ ସେତେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବଜାରରେ ଟମାଟୋ କିଲୋ ପ୍ରତି ଦର ୧୫୦ ଟଙ୍କାରେ ପହଞ୍ଚିଛି। ବିଭିନ୍ନ ସ୍ଥାନରେ ମଧ୍ୟ ତା’ର ଦର ଅଧିକ ରହିଛି। ଏହା ମଧ୍ୟରେ ଜୋୟା ଅକ୍‌ତରଙ୍କ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗି ଦୋବାରା’କୁ ୧୨ ବର୍ଷ ପୂରିଥିବାବେଳେ ସେ ଟମାଟୋକୁ ନେଇ କିଛି ରୋଚକ ତଥ୍ୟ ଦେଇଛନ୍ତି। ସିନେମାରେ ଫର୍‌ହାନ ଅକତର୍‌, ହ୍ରିତିକ୍‌ ରୋଶନ, ଅଭୟ ଦେଓଲ, କ୍ୟାଟ୍ରିନ କୈଫ୍‌ଙ୍କ ସମେତ ଅନେକେ ନଜରକୁ ଆସିଥିଲେ; ଯେଉଁଥିରେ ୩ ଅବିବାହିତ ବେଷ୍ଟଫ୍ରେଣ୍ଡଙ୍କ ଜୀବନ ଯାତ୍ରା ବିଷୟରେ ଦେଖିବାକୁ ମିଳିଛି। ଫିଲ୍ମର କିଛି ଅଂଶ ସ୍ପେନ୍‌ରେ ଶୁଟିଂ କରାଯାଇଥିଲା। ସେଠାରେ ହୋଲି ସଦୃଶ ଟମାଟିନା ନାମକ ଏକ ଉତ୍ସବ ପାଳନ କରାଯାଏ; ଯେଉଁଥିରେ ଟମାଟୋର ବ୍ୟବହାର ହୋଇଥାଏ। ତେବେ ଫିଲ୍ମରେ ମଧ୍ୟ ଏକ ଗୀତରେ ଏହି ଉତ୍ସବ ପାଳୁଥିବା ଦେଖିବାକୁ ମିଳିଛି। ଏଥିରେ ୩ ସାଙ୍ଗକୁ ଟମାଟୋ ଫିଙ୍ଗିବା ସହ ସେଥିରେ ଖେଳୁଥିବା ନଜର ଆସିଛନ୍ତି। ଶୁଟିଂ ବେଳେ ଏହି ମୁଭିରେ ମୋଟ ୧୬ ଟନ୍‌ ଟମାଟୋ ବ୍ୟବହର କରାଯାଇଥିଲା। ଏହାର ମୂଲ୍ୟ ଥିଲା ୧ କୋଟି ଟଙ୍କା । ସ୍ପେନ୍‌ରେ ମିଳୁଥିବା ଟମାଟୋ ସେ ସମୟରେ କଞ୍ଚା ଥିବାରୁ ପର୍ତ୍ତୁଗାଲରୁ ୧୬ଟନ୍‌ ଟମାଟୋ ଅଣାଯାଇଥିବା ଫିଲ୍ମର ପ୍ରଯୋଜକ ରିତେଶ ସିଦ୍ଧୱାନି ପ୍ରକାଶ କରିଛନ୍ତି।

Share