Categories: ଖେଳ

ଓଡ଼ିଶାରୁ ୧୬ ଭାଗନେବେ

ଭୁବନେଶ୍ୱର, ୧୯।୯(ତପନ ସ୍ବାଇଁ): ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱ ଏବଂ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଜାରି ରହିଛି। ଆଗାମୀ ଜାତୀୟ ୭ ଓ ୧୯ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତାରେ ୧୬ଜଣ ଖେଳାଳି ରାଜ୍ୟରୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦେଇଛନ୍ତି ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ। ତାଙ୍କ ସୂଚନା ଅନୁସାରେ ଜାତୀୟ ୭ ବର୍ଷରୁ କମ୍‌ ପ୍ରତିଯୋଗିତାରେ ଟିମ୍‌ ମ୍ୟାନେଜର ସୁରଜ ମହାରଣାଙ୍କ ନେତୃତ୍ୱରେ ବାଳିକାରେ ସୁଶ୍ରୀ ଅଦିତି ମହାରଣା, ବାଳକରେ ସାତ୍ତ୍ୱିକ ସ୍ବାଇଁ, ଅଦ୍ଭିକ ଆଦିତ୍ୟ ସ୍ବାଇଁ ସ୍ବାଭାବିକଭାବେ ଏବଂ ସାହିଲ କୁମାର ବେହେରା, ସ୍ବୟଂଶ ଦାସ, ସତ୍ୟ ନାରାୟଣ ସ୍ବାଇଁ, ଆଦିତ୍ୟ ଉପାଧ୍ୟାୟ, ଓମେଶ ଗୋଟୁମୁକ୍କାଲା ସ୍ବତନ୍ତ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ୨୧ରୁ ୨୫ ପର୍ଯ୍ୟନ୍ତ କୋଲକାତାରେ ୩୬ତମ ଜାତୀୟ ୭ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାଷ୍ଟର ଚେସ୍‌ ଫାଉଣ୍ଡେଶନ୍‌ ଓ ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ପକ୍ଷରୁ ଭୁବନେଶ୍ୱରରେ ୭ ବର୍ଷରୁ କମ୍‌ ବର୍ଗରେ ରାଜ୍ୟ ଖେଳାଳି ଚୟନ ଅନୁଷ୍ଠିତ ହୋଇଥିଲା। ସେହିପରି ଜାତୀୟ ଜୁନିୟର (୧୯ ବର୍ଷରୁ କମ୍‌ ବାଳିକା ଓ ବାଳକ) ବର୍ଗରେ ଟିମ୍‌ ମ୍ୟାନେଜର ମୃତ୍ୟୁଞ୍ଜୟ ଦାସଙ୍କ ନେତୃତ୍ୱରେ ରାଜ୍ୟରୁ ବାଳିକା ବର୍ଗରେ ଶ୍ରଦ୍ଧା ସ୍ମରଣିକା ନନ୍ଦ, ଈଶା ଜେସ୍‌, ସନୋଜା ଜେସ୍‌ ଏବଂ ବାଳକରେ ଶ୍ରୀହାନ ସାବତ, ମୃତ୍ୟୁଞ୍ଜୟ ମଣ୍ଡଳ, ବୈଭବ ଅଗ୍ରଓ୍ବାଲ, ଶ୍ରୀୟାଂଶ ଦାସ ଓ ପ୍ରିୟାଂଶ ଦାସ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ୨୦୨୩ ସେପ୍ଟେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ (୧୯ ବର୍ଷରୁ କମ୍‌ ବାଳକ ଓ ବାଳିକା)ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୁନ୍ଦରଗଡ଼ ଜିଲା ଚେସ୍‌ ସଂଘ ଆନୁକୂଲ୍ୟରେ ସୁନ୍ଦରଗଡ଼ରେ ୧୯ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ଅନୁଷ୍ଠିତ ହୋଇଥିଲା। ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, ସଭାପତି ଜି. ସି. ମହାପାତ୍ର ଏବଂ ଅନ୍ୟ କର୍ମକର୍ତ୍ତା ଉକ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share