ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ବ୍ରିଟେନର ୧୬ ବର୍ଷର ବାଳକ ଏଡଓ୍ବାର୍ଡ ରିକେଟ୍ସ କମ୍‌ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ଏଡଓ୍ବାର୍ଡ ସାଧାରଣ ପିଲାଙ୍କ ଭଳିି ଫୁଟବଲ ଖେଳିବା ସହ ୟୁଟ୍ୟୁବ୍‌ରୁ ଭିଡିଓ ଦେଖିବା ପସନ୍ଦ କରିଥାନ୍ତି। ଦୀର୍ଘ ୮ମାସ ଧରି ସେ ୟୁଟ୍ୟୁବରୁ  କରେନ୍ସି ଟ୍ରେଡିଂ ଶିଖୁଥିଲେ। ଏଡଓ୍ବାର୍ଡ ବାପା ଓ ୨ଭାଇଙ୍କ ସହ ରହୁଥିବା ବେଳେ ଖରାଛୁଟି ସମୟରେ ସେ ଚାକିରି କରି ୧୫୦ ପାଉଣ୍ଡ ଯୋଗାଡ କରିଥିଲେ। ପରେ କରେନ୍ସି ଟ୍ରେଡିଂରେ ସେ ୧୫୦ ପାଉଣ୍ଡ(ପ୍ରାୟ ୧୩ ହଜାର ଟଙ୍କା) ବିନିଯୋଗ କରି ୬୧ହଜାର ପାଉଣ୍ଡ(ପ୍ରାୟ ୫୫ ଲକ୍ଷ ଟଙ୍କା) ରୋଜଗାର କରିଥିବା ଜଣାପଡ଼ିଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜରଙ୍କ ଲାଇଫ ଷ୍ଟାଇଲକୁ ଦେଖି ଏଡଓ୍ବାର୍ଡ ଟ୍ରେଡିଂକୁ ନେଇ ଆକର୍ଷିତ ହୋଇଥିଲେ। ଇନ୍‌ଷ୍ଟାଗ୍ରାମ ୟୁଜର ଜଣଙ୍କ କରେନ୍ସି ଟ୍ରେଡିଂ କରିଥାନ୍ତି, ସେ ସବୁବେଳେ ନିଜର ମହଙ୍ଗା ଗାଡ଼ି ଓ ଡ୍ରେସକୁ ପୋଷ୍ଟ କରିଥାନ୍ତି। ତେବେ ଏଡଓ୍ବାର୍ଡ ତାଙ୍କୁ ଦେଖି ପ୍ରଭାବିତ ହେବା ସହ ଏହି ବାବଦରେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ୟୁଜର ତାଙ୍କୁ ଏକ ଭଲ ସ୍ଥାନରେ ଟ୍ରେଡିଂ କୋର୍ସ କରିବାକୁ କହିଥିଲେ। ଏହାପରେ ଏଡଓ୍ବାର୍ଡ ଏ ସମ୍ବନ୍ଧୀୟ ସମସ୍ତ ଭିଡିଓ ୟୁଟ୍ୟୁବରେ ଦିନକୁ ୫ଘଣ୍ଟା ଲେଖାଏଁ ଦେଖିଥିଲେ। ନିୟମିତ ଭାବେ ସେ କରେନ୍ସି ଟ୍ରେଡିଂ ସମ୍ବନ୍ଧୀୟ ଖବରକୁ ଦେଖୁଥିବା ବେଳେ ଏବେ ତାଙ୍କ ପାଖରେ ଶହେ ଗ୍ରାହକ ରହିଛନ୍ତି। ଏଥିସହ ବଜାରର ସ୍ଥିତି ଉପରେ ପରାମର୍ଶ ଦେବା ପାଇଁ ଏଡଓ୍ବାର୍ଡ ୧୫୫ ପାଉଣ୍ଡ(ପ୍ରାୟ ୧୪ ହଜାର ଟଙ୍କା) ଫିସ୍‌ ନେଉଥିବା ଜଣାପଡ଼ିଛି। ତାଙ୍କର ଏହି କାର୍ଯ୍ୟ ବାବଦରେ ପରିବାର ଲୋକେ ପ୍ରଥମେ କେହି ଜାଣି ନ ଥିଲେ। ତାଙ୍କର ଏହି କାର୍ଯ୍ୟକୁ ନେଇ ବାପା ଅମଙ୍ଗ ଥିବା ବେଳେ ଏଡଓ୍ବାର୍ଡ କିନ୍ତୁ ରାଜି କରାଇ ଦେଇଥିଲେ। ନିଜର ଅର୍ଜିତ ଟଙ୍କାରେ ସେ ପ୍ରପର୍ଟି ମାର୍କେଟରେ କରିଡର ତିଆରି କରିବାକୁ ଚାହଁୁଛନ୍ତି। ଯେଉଁଥିପାଇଁ ଏବେ  ଅର୍ଥ ସଞ୍ଚୟ କରୁଥିବା ସେ କହିଛନ୍ତି। ତେବେ କମ୍‌ ବୟସରୁ ସେ ହାସଲ କରିଥିବା ସଫଳତା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି।

Share