Categories: ଜାତୀୟ

ମୋବାଇଲକୁ ନେଇ ସାନ ଭାଇଙ୍କୁ ହତ୍ୟା

ଅହମଦାବାଦ୍‌, ୨୭ା୫: ମୋବାଇଲରେ ଗେମ୍‌ ଖେଳିବା ପାଇଁ ଝଗଡ଼ା ହୋଇ ଗୁଜରାଟ ଖେଦା ଜିଲାର ଜଣେ ୧୬ ବର୍ଷୀୟ ବାଳକ ତାଙ୍କ ସାନ ଭାଇକୁ ହତ୍ୟା କରିଛନ୍ତି।
ପୋଲିସ ସୂଚନା ମୁତାବକ, ସମ୍ପୃକ୍ତ ବାଳକଙ୍କ ମା’ ବାପା ରାଜସ୍ଥାନର ହୋଇଥିବା ବେଳେ ଗୁଜରାଟ ଆସି ଏକ ଫାର୍ମରେ ଶ୍ରମିକ ଭାବେ କାମ କରୁଥିଲେ। ମେ ୨୩ରେ ଦୁଇ ଭାଇ ପାଳି କରି ଏକ ମୋବାଇଲରେ ଗେମ୍‌ ଖେଳୁଥିଲେ। ବଡ଼ ଭାଇର ପାଳି ବେଳେ ୧୧ ବର୍ଷୀୟ ସାନ ଭାଇ ତାଙ୍କୁ ଫୋନ୍‌ ମାଗିଥିଲେ। ହେଲେ ବଡ଼ଭାଇ ଫୋନ୍‌ ଦେବାକୁ ମନା କରିଥିଲେ। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ମାର୍‌ପିଟ ହୋଇଥିଲା।
ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ ଭାଇ ଏକ ପଥରରେ ସାନ ଭାଇର ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ସାନ ଅଚେତ ହୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ବଡ଼ ଭାଇ ତାଙ୍କୁ ଏକ କୂଅରେ ପକାଇ ଦେଇଥିଲେ। ସେଠାରୁ ସେ ମା’ ବାପାଙ୍କୁ ନ ଜଣାଇ ବସ୍‌ ଯୋଗେ ରାଜସ୍ଥାନ ପଳାଇଥିଲେ। ଦୁଇ ପୁଅଙ୍କୁ ନ ପାଇ ମା’ ବାପା ଖୋଜାଖୋଜି କରିଥିଲେ। ହେଲେ ବଡ଼ ପୁଅ ରାଜସ୍ଥାନ ପଳାଇଥିବା ଜାଣିବାକୁ ପାଇଥିଲେ। ଏପରି କି ସାନ ପୁଅର ହତ୍ୟା ବିଷୟରେ ଜଣାପଡ଼ିଥିଲା। ପୋଲିସ ପହଞ୍ଚି କୂଅରୁ ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share