ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ୧୬ ବର୍ଷ ବୟସ୍କା ବାଳିକା

ହେଲସିଙ୍କି, ୧୦।୧୦: ଫିନଲାଣ୍ଡ୍‌ରେ ଜଣେ ୧୬ ବର୍ଷ ବୟସ୍କା ବାଳିକାଙ୍କୁ ଦିନକ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବାକୁ ପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀ ସନା ମରିନ୍‌ ପଦବୀ ଖାଲି କରିଥିଲେ। ତାଙ୍କ ସ୍ଥାନରେ ଦିନକ ଲାଗି ଆଭା ମୁତ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଲିଙ୍ଗଗତ ଅନ୍ତର ଦୂର କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି। ଆଭା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହିତ ଜ୍ଞାନକୌଶଳ କ୍ଷେତ୍ରରେ ମହିଳାଙ୍କ ଅଧିକାର ସମ୍ପର୍କରେ ଚର୍ଚ୍ଚା କରିଥିଲେ। ଏହି ସହିତ ସେ ନିଜ ଭାଷଣରେ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ପୃଥିବୀର କୌଣସି ସ୍ଥାନରେ ଲିଙ୍ଗଗତ ସମାନତା ହାସଲ କରାଯାଇ ପାରିନାହିଁ। ଏକ୍ଷେତ୍ରରେ ଫିନ୍‌ଲାଣ୍ଡ ବହୁ ସଫଳତା ହାସଲ କରିଥିଲେ ବି ଏବେ କେତେକ କ୍ଷେତ୍ରରେ କାର୍ଯ୍ୟ ଜାରି ରହିଛି। ଫିନଲାଣ୍ଡ ସରକାରଙ୍କ ପକ୍ଷରୁ ଆଭାଙକ ଭାଷଣକୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ ଲୋଡ୍‌ କରାଯାଇଛି। ଏବେ ଏହା ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଫିନଲାଣ୍ଡରେ ‘ଗଲର୍‌ସ ଟେକ୍‌ ଓଭର’ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଟିଏ ଦିନ ପାଇଁ ରାଜନୈତିକ ପଦପଦବୀରେ ଅଧିଷ୍ଠିତ କରାଯାଉଛି। ଚଳିତ ବର୍ଷ କେନିଆ, ପେରୁ, ସୁଦାନ ଏବଂ ଭିଏତ୍‌ନାମ୍‌ରେ ବାଳିକାଙ୍କ ମଧ୍ୟରେ ଡିଜିଟାଲ ଏବଂ ଜ୍ଞାନକୌଶଳ କ୍ଷମତାର ବିକାଶ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Share