Advertisement

ଶ୍ରୀଜୀଉଙ୍କ ଦାନ୍ତକାଠି ସେବାରେ ୧୬ ବର୍ଷ

ନୟାଗଡ଼,୪।୯(ଲୋକନାଥ ମିଶ୍ର):ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଲୀଳା ଯେପରି ଅପାର ସେପରି ନୀତି ଖଞ୍ଜ(ବ୍ୟବସ୍ଥା) ମଧ୍ୟ ନିଆରା। ଶ୍ରୀଜୀଉଙ୍କ ସେବାରେ ବହୁ ଭକ୍ତ ନିଜକୁ ସମର୍ପି ଅପାର କରୁଣା ଲାଭ କରୁଛନ୍ତି। ସେଭଳି ଜଣେ ଭକ୍ତ ଦାନ୍ତକାଠି ସେବା ପାଇ ନିଜକୁ ଧନ୍ୟ ମନେକରି ୧୬ ବର୍ଷ ହେଲା ପ୍ରଭୁଙ୍କ ସେବାରେ ଲାଗି ପଡିଛନ୍ତି। ସେ ହେଲେ ନୟାଗଡ଼ ଜିଲା ନୂଆଗଁା ବ୍ଲକ୍‌ ମହୀପୁର ଗଁାର ଧୀରେନ୍ଦ୍ର କୁମାର ସାହୁ। ସେ ବର୍ଷକୁ ୪ରୁ ୫ଥର ଶ୍ରୀଜୀଉଙ୍କୁ ଦାନ୍ତକାଠି ଯୋଗାଇ ନୂଆଗଁା ବ୍ଲକ୍‌ ତଥା ନୟାଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି।
ମହୀପୁର ଗଁାର ଧୀରେନ୍ଦ୍ର ଜଣେ ଅବସରପ୍ରାପ୍ତ ଶିକ୍ଷକ। ନୂଆଗଁା ବ୍ଲକ୍‌ ଦୁର୍ଦ୍ଦୁରା ଗଁାରେ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରି ୨୦୧୬ରେ ଗାତେରୀ ହାଇସ୍କୁଲରୁ ପ୍ରଧାନ ଶିକ୍ଷକ ଭାବେ ଅବସର ନେଇଛନ୍ତି। ୨୦୦୯ରେ ସେ ଜଣେ ଶିଷ୍ୟଙ୍କୁ ଧରି ପୁରୀକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଠାକୁରଙ୍କୁ ଦର୍ଶନ କରିବା ପରେ ଜଗନ୍ନାଥଙ୍କ ଆଦ୍ୟ ସେବକ ଭିତରଛୁ ମହାପାତ୍ରଙ୍କ ସହ ଧୀରେନ୍ଦ୍ରଙ୍କ ଅକସ୍ମାତ ଭେଟ ହୋଇଥିଲା। ଭେଟ ସମୟରେ ଆଦ୍ୟ ସେବକ ଧୀରେନ୍ଦ୍ରଙ୍କ ଠିକଣା ପଚାରି ଆପଣ ମହାପ୍ରଭୁଙ୍କ ପାଇଁ ଦାନ୍ତକାଠି ଆଣନ୍ତୁ ବୋଲି କହିଥିଲେ। ଆଦ୍ୟ ସେବକଙ୍କୁ ହଁ କହି ଗଁାକୁ ଫେରିବା ପରେ ଶ୍ରୀଜୀଉଙ୍କୁ ଦାନ୍ତକାଠି ଯୋଗାଇପାରିବେ କି ନା ସନ୍ଦେହରେ ପଡିଥିଲେ ଧୀରେନ୍ଦ୍ର। ପରେ ଗଁାର କେତେଜଣ ଲୋକଙ୍କ ସହଯୋଗରେ ସ୍ଥାନୀୟ ଜଙ୍ଗଲରୁ ଦାନ୍ତକାଠି ସଂଗ୍ରହକରି ୧ମାସ ମଧ୍ୟରେ ନିଜେ ଯାଇ ଦେଇ ଆସିଥିଲେ। ତା’ପରଠାରୁ ବର୍ଷକୁ ୪ରୁ ୫ଥର ଦାନ୍ତକାଠି ଯୋଗାଇ ଆସୁଛନ୍ତି। ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତିବର୍ଷ ସେ ଠାକୁରଙ୍କୁ ଦାନ୍ତକାଠି ଯୋଗାଉଛନ୍ତି। ଚଳିତ ବର୍ଷ ଗତ ସୋମବାର ପୁରୀ ଯାଇ ଦାନ୍ତକାଠି ପ୍ରଦାନ କରିଛନ୍ତି। ଏନେଇ ଭକ୍ତ ଧୀରେନ୍ଦ୍ର କୁହନ୍ତି, ଶ୍ରୀଜୀଉଙ୍କ ସେବା କରିବାର ସାନ୍ନିଧ୍ୟ ପାଇ ମୁଁ ଧନ୍ୟ ହୋଇଛି। ମୁଁ ବଞ୍ଚତ୍ଥିବା ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଆସୁଥିବି। ମନ୍ଦିର ପ୍ରଶାସନର ଅନୁମତି ପରେ ମୁଁ ମୂତୁରୀ ଦାନ୍ତକାଠି(କୁମ୍ଭାଟୁଆ) ଶ୍ରୀମନ୍ଦିରର ଅମୁଣିଆ ଘରେ ରଖି ଆସୁଛି। ଗତ ସୋମବାର ମୁଁ ଦାନ୍ତକାଠି ନେଇ ଯାଇଥିଲି। ଗୋଟିଏ ଦାନ୍ତକାଠି ବିଡ଼ାରେ ୫୦ରୁ ୬୦ କାଠି ରହୁଛି। ମୁଁ ଦାନ୍ତକାଠି ମହାପ୍ରଭୁଙ୍କୁ ଦେଉଥିବା ଖବର ଜଣାପଡିବା ପରେ ମୋତେ ଏବେ କେତେଜଣ ଲୋକ ଦାନ୍ତକାଠି ସଂଗ୍ରହରେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share