ନିଯୁକ୍ତି ପାଇବେ ୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀ

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୧୬୦ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ ନିଯୁକ୍ତି ପାଇବେ। ରବିବାର ଭୁବନେଶ୍ୱରସ୍ଥିତ କୃଷିଭବନ ସମ୍ମିଳନୀ କକ୍ଷରେ ଏମାନଙ୍କ ପାଇଁ ଏକ କାଉନ୍‌ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓପିଏସ୍‌ସି ଦ୍ୱାରା ମନୋନୀତ ୧୬୦ ଜଣଙ୍କ ମଧ୍ୟରୁ ୧୫୮ଜଣ କାଉନ୍‌ସେଲିଂ ପ୍ରକ୍ରିୟାରେ ଯୋଗଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ କାଉନ୍‌ସେଲିଂ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ବିବରଣୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର ପ୍ରଦାନ କରିଥିଲେ। ଏହାପରେ ନବନିଯୁକ୍ତ ଅଧିକାରୀଙ୍କୁ ସେମାନଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। କେଉଁ ଅଧିକାରୀ କେଉଁ ସ୍ଥାନରେ କେଉଁ ପଦବୀରେ ଯୋଗଦେବେ ତାହା ସେମାନଙ୍କୁ ଜଣାଇ ଦିଆଯାଇଥିଲା। କାର୍ଯ୍ୟକ୍ରମର ଚୂଡାନ୍ତ ପର୍ଯ୍ୟାୟରେ ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କ ସମସ୍ତ ଦ୍ୱନ୍ଦ୍ୱ ପଚାରି ବୁଝିଥିଲେ। ଏଥିସହ ‘ମୋ ସରକାରର ଜନାଦେଶ’ ଉପରେ ମଧ୍ୟ ସମ୍ୟକ୍‌ ଧାରଣା ପ୍ରଦାନ କରାଯାଇଥିଲା। ନିଯୁକ୍ତି ପାଇବାକୁ ଥିବା ଏହି ଅଧିକାରୀଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟେଟ୍‌ କନ୍‌ଭେନ୍‌ଶନ ସେଣ୍ଟରଠାରେ ଏହି ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ସମସ୍ତ ଶିକ୍ଷା ସେବା ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ଦୃଢ଼ପ୍ରତିଜ୍ଞାବଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ କହିଲେ, ଲୋକଙ୍କଠାରୁ ମତାମତ ଗ୍ରହଣ କରି ଏହା ଉପରେ କାର୍ଯ୍ୟ କରିବା ଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ବଢ଼ିବ। ଯୁବ ଅଧିକାରୀମାନେ ରାଜ୍ୟର ସ୍ବପ୍ନକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ମହାପାତ୍ର ଏହି ନବନିଯୁକ୍ତ ଅଧିକାରୀଙ୍କୁ ସାହାଯ୍ୟ, ସହଯୋଗ ମାଧ୍ୟମରେ ଶିକ୍ଷା ବିଭାଗକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆହ୍ବାନ ଦେଇଥିଲେ। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ବିଦ୍ୟାଳୟ, ବ୍ଲକ୍‌ ଓ ଜିଲାର ତୃଣମୂଳ ସ୍ତରକୁ ଯାଇ ପିଲାଙ୍କ ଶୈକ୍ଷିକ ବିକାଶ ପାଇଁ ନୂଆ କାର୍ଯ୍ୟପନ୍ଥା ଆପଣେଇବାକୁ ପରାମର୍ଶ ଦେଇଥିଲେ।

Share