Categories: ବାଣିଜ୍ୟ

ଜୁନ୍‌ରେ ୧,୬୧,୪୯୭ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୭: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୩ୟ ମାସରେ ମଧ୍ୟ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ ହୋଇଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ୩ୟ ମାସ ବା ଜୁନ୍‌ରେ ଦେଶର ଜିଏସ୍‌ଟି ସଂଗ୍ରହ ୧,୬୧,୪୯୭ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ଆଦାୟ କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୧.୫୭ (୧,୫୭,୦୯୦) ଲକ୍ଷ କୋଟି ଟଙ୍କା ଟିକସ ଆଦାୟ ହୋଇଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ମାସରେ ସଂଗୃହୀତ ଟିକସ ପରିମାଣଠାରୁ ୨୦୨୪-୨୫ ଆର୍ଥିକ ବର୍ଷର ଟିକସ ପରିମାଣ ୧୨% ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।
ସେହିଭଳି ୨୦୨୪ ଜୁନ୍‌ରେ ସଂଗୃହୀତ ମୋଟ୍‌ ଜିଏସ୍‌ଟି ରାଜସ୍ବ ୧,୬୧,୪୯୭ କୋଟି ଟଙ୍କା ସଂଗ୍ରହ ହୋଇଥିଲାବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ୩୧,୦୧୩ କୋଟି ଟଙ୍କା ଏବଂ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ୩୮,୨୯୨ କୋଟି ଟଙ୍କା ସାମିଲ ରହିଛି। ସେହିପରି ଆଇଜିଏସ୍‌ଟି ବାବଦରେ ୮୦,୨୯୨ କୋଟି (ସାମଗ୍ରୀ ଆମଦାନୀ ବାବଦରେ ୩୯,୦୩୫ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍‌ ବାବଦରେ ୧୧,୯୦୦ କୋଟି (ସାମଗ୍ରୀ ଆମଦାନୀ ଉପରେ ୧୦୨୮ କୋଟି ଟଙ୍କା ସାମିଲ) ଟଙ୍କାର ରାଜସ୍ବ ଟିକସ ଆକାରରେ ଆଦାୟ କରାଯାଇଛି।
ଅପରପକ୍ଷରେ କେନ୍ଦ୍ର ସରକାର ସିଜିଏସ୍‌ଟି ବାବଦରେ ୩୬,୨୨୪ କୋଟି ଟଙ୍କା ଏବଂ ଆଇଜିଏସ୍‌ଟିରୁ ଏସଜିଏସ୍‌ଟି ବାବଦରେ ୩୦,୨୬୯ କୋଟି ଟଙ୍କା ସରକାର ପରିଶୋଧ କରିଛନ୍ତି। ଏପରିକି ୨୦୨୪ ଜୁନ୍‌ରେ ସରକାର ସିଜିଏସ୍‌ଟି ବାବଦକୁ ୬୭,୨୩୭ ଏବଂ ଏସ୍‌ଜିଏସ୍‌ଟି ବାବଦକୁ ୬୮,୫୬୧ କୋଟି ଟଙ୍କାର ସେଟଲମେଣ୍ଟ କରିଛନ୍ତି।
ଅପରପକ୍ଷରେ ଓଡ଼ିଶାରୁ ମଧ୍ୟ ଚଳିତ ଆର୍ଥିକ ବର୍ଷର ୩ୟ ମାସରେ ୪୯୮୭.୨୭ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିଲାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ପରିମାଣ ୪୩୯୮ କୋଟି ଟଙ୍କା ଥିଲା, ଯାହା ଚଳିତ ଆର୍ଥକ ବର୍ଷର ୩ୟ ମାସର ଅବଧି ମଧ୍ୟରେ ୧୦% ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Share