ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ ଥାନା ଅଧୀନ ହଦଗଡ଼ ହାତୀ ଅଭୟାରଣ୍ୟ ପରିଧିରେ ଦେଶୀ ମହୁଲି ମଦ ପ୍ରସ୍ତୁତ ଅଡ୍ଡା ଉପରେ ଆନନ୍ଦପୁର ଡ଼ିଏସପି ପ୍ରଶାନ୍ତ ବେହେରା ଠାବ କରି ବିପୁଳ ପରିମାଣରେ ଦେଶୀ ମହୁଲି ଏବଂ ପୋଚ ଜବତ କରିଥିଲେ। ମାତ୍ର ୭ ଦିନ ନପୁରୁଣୁ ଡ଼ିଏସପି ବେହେରା ନିର୍ବାଚନକୁ ଆଖି ଆଗରେ ରହି ଚଢ଼ାଉକୁ ଜୋରଦାର କରିଛନ୍ତି । ଶୁକ୍ରବାର କେବଳ ଗୋଟିଏ ଦିନରେ ନନ୍ଦିପଦା, ସୋସୋ, ଆନନ୍ଦପୁର, ଘସିପୁରା, ରାମଚନ୍ଦ୍ରପୁର ଥାନା ଅଞ୍ଚଳ ମାନଙ୍କରେ ଚଢ଼ାଉ କରି ୧୬୧୮ ଲିଟର ଦେଶୀ ମହୁଲି ମଦ ଏବଂ ୩୩ ହଜାର ଲିଟର ପୋଚ ଜବତ କରିବାରେ ସକ୍ଷମ ହୋଇଥିବାବେଳେ ୪ ଜଣଙ୍କୁ ଗିରଫ କରାଯାଇଛି।

ନନ୍ଦିପଦା, ସୋସୋ, ଆନନ୍ଦପୁର, ଘସିପୁରା ଥାନାମାନଙ୍କରେ ତିନୋଟି ଲେଖାଏଁ ମାମଲା ଏବଂ ରାମଚନ୍ଦ୍ରପୁର ଥାନାରେ ଗୋଟିଏ ମାମଲା ମୋଟ ୧୩ଟି ମାମଲା ରୁଜୁ ହୋଇଛି । ନନ୍ଦିପଦା ଥାନା ଅଧୀନରେ ୩ ଜଣ ଏବଂ ରାମଚନ୍ଦ୍ରପୁର ଥାନା ଅଧୀନରେ ଜଣଙ୍କୁ ମୋଟ ୪ ଜଣ ଗିରଫ ହୋଇଛନ୍ତି । ଡ଼ିଏସପି ବେହେରାଙ୍କ କହିବା ଅନୁସାରେ ହଦଗଡ଼ ହାତୀ ଅଭୟାରଣ୍ୟ ସୋସୋ, ଆନନ୍ଦପୁର ଥାନା ଅଧୀନ ହଦଗଡ଼ ହାତୀ ଅଭୟାରଣ୍ୟ ପରିଧି ଏବଂ ଘସିପୁରା ଥାନା ଅଧୀନ ମାର୍ଶାପାଳ ନିକଟ ଜଙ୍ଗଲ ଭିତରେ ଦେଶୀ ମହୁଲି ମଦ ପ୍ରସ୍ତୁତ ଆଡ୍ଡା ଗଢି ଉଠିବା ଅତି ଆଶ୍ଚର୍ଯ୍ୟର ବିଷୟ ଅଟେ । ମୋଟ ୧୩ଟି ମାମଲା ରୁଜୁ ହୋଇଛି l ନନ୍ଦିପଦା ଥାନା କେସ ନଂ ୧୮୧,୧୮୨,୧୮୩/୨୦୨୪, ସୋସୋ ଥାନା କେସ ନଂ ୧୨୦,୧୨୧,୧୨୨/୨୦୨୪,ଆନନ୍ଦପୁର ଥାନା କେସ ନଂ ୧୭୭,୧୭୮,୧୭୯/୨୦୨୪, ଘସିପୁରା ଥାନା କେସ ନଂ ୨୩୦,୨୩୧,୨୩୨/୨୦୨୪ ଏବଂ ରାମଚନ୍ଦ୍ରପୁର ଥାନା କେସ ନଂ ୨୨୭/୨୦୨୪ ଅଟେ l ତେବେ ଚଢ଼ାଉ ଆହୁରି ଜୋରଦାର ହେବ । ସବୁଠାରୁ ବଡ଼ କଥା ହେଉଛି ସମଗ୍ର ଆନନ୍ଦପୁର ଉପଖଣ୍ଡରେ ପୂର୍ବରୁ କେବେ ଏପରି ଦେଶୀ ମହୁଲି ମଦ ପ୍ରସ୍ତୁତ ଅଡ୍ଡା ଠାବ ହୋଇ ନ ଥିଲା କି ଏତେ ପରିମାଣରେ ପୋଚ ଏବଂ ମହୁଲି ମଦ ଜବତ ହୋଇନଥିଲା । ଅପରପକ୍ଷେ ଅଭୟାରଣ୍ୟ ପରିଧିରେ ଦେଶୀ ମହୁଲି ମଦ ପ୍ରସ୍ତୁତ ଆଡ୍ଡା ଚାଲିଥିବାବେଳେ ବନ ବିଭାଗ କିପରି ଏ ବାବଦରେ ଜାଣିପାରିଲାନି ତାହାକୁ ନେଇ ପ୍ରଶ୍ନ ଉଠୁଛି।

Share