Categories: ରାଜ୍ୟ

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।

ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ଭାବେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖି ଏହି ଜାତୀୟ ମତଦାନ ଉତ୍ସବର ବ୍ୟବସ୍ଥା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଯବାନ ମୁତୟନ ହୋଇସାରିଛନ୍ତି।

ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ପୁଲିସ ବାହିନୀ ଫ୍ଲାଗମାର୍ଚ୍ଚ କରୁଛନ୍ତି। ଆସନ୍ତା ମଇ ମାସ ପ୍ରଥମାର୍ଦ୍ଧରେ ଆଉ ୯୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କାର୍ଯ୍ୟରେ ଯୋଗଦେବେ ବୋଲି ଧଳ କହିଛନ୍ତି।

ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ରରେ ୧୩ ମେ, ୨୦ ମେ, ୨୫ ମେ ଏବଂ ୧ ଜୁନ୍‌ରେ ମତଦାନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ମେ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ଚାରିଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୧୮ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ଏପ୍ରିଲ୍‌ ହୋଇଥିବା ବେଳେ ୨୬ ଏପ୍ରିଲରେ ନାମାଙ୍କନ ଯାଞ୍ଚ, ୨୯ ଏପ୍ରିଲ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ।

ଏହାପରେ ପଞ୍ଚମ ପର୍ଯ୍ୟାୟ ଅର୍ଥାତ୍‌ ମେ ୨୦ ତାରିଖରେ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ର ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକାରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୨୬ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୩ ମେ ରଖାଯାଇଥିବା ବେଳେ ମେ ୪ ତାରିଖରେ ନାମାଙ୍କନ ଯାଞ୍ଚ, ୨୦ ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ ।

ଷଷ୍ଠ ପର୍ଯ୍ୟାୟ ଅର୍ଥାତ୍‌ ମେ ୨୫ ତାରିଖରେ ଓଡ଼ିଶାର ୬ଟି ସଂସଦୀୟ କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱରରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୨୯ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୬ ମେ ରଖାଯାଇଥିବା ବେଳେ ମେ ୭ ତାରିଖରେ ନାମାଙ୍କନ ଯାଞ୍ଚ, ୯ ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ।

ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଜୁନ୍‌ ପହିଲାରେ ଓଡ଼ିଶାର ୭ଟି ସଂସଦୀୟ କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ମେ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୧୪ ମେ ରଖାଯାଇଥିବା ବେଳେ ମେ ୧୫ରେ ନାମାଙ୍କନ ଯାଞ୍ଚ, ୧୭ ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ। ଓଡ଼ିଶା ସମେତ ଦେଶର ସବୁ ଲୋକସଭା ଆସନ ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଜୁନ୍‌ ୪ ତାରିଖରେ ଭୋଟ୍‌ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।

Share