କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ(ରାଜ୍ୟ ରାଜପଥ-୧୦)ର ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଝୁରିପଡ଼ା ଗ୍ରାମ ନିକଟରେ। ଏକ କାରର ସିକ୍ରେଟ ଚ୍ୟାମ୍ବରରୁ ଜବତ ହୋଇଛି ରୁପା ସାମଗ୍ରୀ। ଏଠାରେ ଅବକାରୀ ବିଭାଗ ପକ୍ଷରୁ ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗକୁ ଖବର ଦିଆଯାଇଥିଲା। ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ୧୬୬.୪୬୦ କେଜି ରୁପା ସାମଗ୍ରୀ ଜବତ କରିଛନ୍ତି। ସେଥିରେ ରୁପାର ପାଉଁଜି, ଝୁମକା, ମୂର୍ତ୍ତି, ଗ୍ଲାସ ଆଦି ରହିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୭୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଜବତ ରୁପା ସାମଗ୍ରୀ ମହାରାଷ୍ଟ୍ରରୁ ଝାଡ଼ଖଣ୍ଡର ରାଞ୍ଚତ୍କୁ ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ କାର୍‌ରେ ଥିବା ୩ ଜଣଙ୍କୁ ଅଟକ ରଖି ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ ଅଧିକାରୀମାନେ ପଚରାଉଚରା କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ପ୍ରତିଦିନ ଭଳି ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଲି ଥାନା ଅନ୍ତର୍ଗତ ଝୁରିପଡ଼ା ନିକଟରେ ନିୟମିତ ପ୍ରକ୍ରିୟାରେ ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଉଥିଲା। ଏହି ସମୟରେ ସେହିବାଟ ଦେଇ ମହାରାଷ୍ଟ୍ର ରାଜ୍ୟ ନମ୍ବର ଥିବା ଏକ କାର(ଏମ୍‌ଏଚ୍‌-୧୪-ଏଚ୍‌-୧୬୯୩)କୁ ଅବକାରୀ ବିଭାଗ କର୍ମଚାରୀମାନେ ଅଟକାଇଥିଲେ। ଯାଞ୍ଚ ବେଳେ କାରର ସିଟ୍‌ତଳେ ସ୍ବତନ୍ତ୍ର ଭାବେ ନିର୍ମିତ ସିକ୍ରେଟ୍‌ ଚ୍ୟାମ୍ବରରେ ବ୍ୟାପକ ପରିମାଣର ରୁପା ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ। ଯାଞ୍ଚକାରୀ ଦଳଠାରୁ ଖବର ପାଇ ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚତ୍ ରୁପା ସାମଗ୍ରୀର କାଗଜପତ୍ର ଯାଞ୍ଚ କରିଥିଲେ। ମାନୁଆଲ କାଗଜପତ୍ର ଓ ରୁପା ସାମଗ୍ରୀ କାରର ସିକ୍ରେଟ୍‌ ଚ୍ୟାମ୍ବରରେ ଲୁକ୍କାୟିତ ଭାବେ ରଖାଯାଇଥିବା ନେଇ ସନ୍ଦେହ ହେବାରୁ ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ ରୁପା ସାମଗ୍ରୀକୁ ଜବତ କରିଛି। ଜବତ ରୁପା ସାମଗ୍ରୀକୁ ସମ୍ବଲପୁର ଟ୍ରେଜେରିରେ ଜମା ଦିଆଯିବ। ତେବେ ଜବତ ସାମଗ୍ରୀର ବୈଧତା ଯାଞ୍ଚ ପରେ କୌଣସି ଅନିୟମିତତା ପ୍ରମାଣିତ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଟି ଜିଏସ୍‌ଟି ଡେପୁଟି କମିଶନର ଟେକଚାନ୍ଦ ମେହେର କହିଛନ୍ତି। ତେବେ ମାନୁଆଲ କାଗଜପତ୍ର ମିଳିଥିବା ସତ୍ତ୍ୱେ ଏତେ ପରିମାଣର ରୁପାକୁ କିଏ କାହା ନିକଟକୁ ଓ କାହିଁକି ପ୍ରେରଣ କରୁଥିଲା ସେ ସମ୍ପର୍କରେ ଜିଏସ୍‌ଟି ପକ୍ଷରୁ କିଛି କୁହାଯାଇନାହିଁ।

Share