Advertisement

କୋରାପୁଟରେ ୧୬୭ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ: ସିଡିଏମ୍‌ଓ

କୋରାପୁଟ,୭ା୧୦(ଅମିତାଭ ବେହେରା): କୋରାପୁଟ ଜିଲାରେ ବର୍ତ୍ତମାନସୁଧା ୧୬୭ ଜଣ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢ଼ୀ ଶନିବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୬୫୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୬୭ ଜଣ ସ୍କ୍ରବ୍‌ ଟାଇଫସ୍‌ ଚିହ୍ନଟ ହୋଇଛନ୍ତି। ଗତ ଏପ୍ରିଲ ମାସରେ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ୧୫୦ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସର ୭ ତାରିଖ ସୁଦ୍ଧା ଆହୁରି ୧୪ ଜଣ ଆକ୍ରାନ୍ତ ହୋଇଥିବା ଜିଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହି ରୋଗୀଙ୍କ ଦେହରେ ଜ୍ୱର ସହ କଫ ଓ କାଶର ଲକ୍ଷଣ ଦେଖାଯାଇଥାଏ। ବର୍ତ୍ତମାନ ଟେଷ୍ଟିଂ ଅଧିକା ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ଏଥିନେଇ କୌଣସି ଭୟ କରିବାର ନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଗତ କିଛି ଦିନ ମଧ୍ୟରେ ଅନ୍ୟାନ୍ୟ ଜିଲାରୁ ରୋଗୀ କୋରାପୁଟ ମେଡିକାଲରେ ନିଜ ରକ୍ତ ପରୀକ୍ଷଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁର ଅଞ୍ଚଳର ଜଣେ ଗୁରୁତର ସ୍କ୍ରବ୍‌ ଟାଇଫସ୍‌ ରୋଗୀ କୋରାପୁଟ ମେଡିକାଲରେ ଆଇସିୟୁରେ ଚିକିତ୍ସିତ ହୋଇ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଥିବା ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share