Categories: ଖେଳ

ଦିଲ୍ଲୀ ଆଗରେ ୧୬୮ରନ୍‌ର ବିଜୟ ଟାର୍ଗେଟ୍‌

ଚେନ୍ନାଇ,୧୦।୫: ଚେନ୍ନାଇସ୍ଥିତ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଏମ୍‌ଏସ୍‌ ଧୋନି ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୭ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୮ ରନ୍‌ର ବିଜୟ ଟାର୍ଗେଟ୍‌ ରହିଛି ଚେନ୍ନାଇ।

ଚେନ୍ନାଇର ଦୁଇ ଓପନର ଋତୁରାଜ ଗାଏକ୍ୱାଡ ଏବଂ ଡେଭନ କନଓ୍ବେ ପ୍ରଥମ ଉଇକେଟରେ ୩୨ ରନ୍‌ ଯୋଡିଥିଲେ। ଋତୁରାଜ ୨୪ ରନ୍‌ କରିଥିବା ବେଳେ ଡେଭନ ୧୦ ରନ୍‌ କରିଥିଲେ। ଅଜିଙ୍କ୍ୟ ରାହାନେ ୨୧ ରନ୍‌ କରି ଦଳୀୟ ସ୍କୋରକୁ ୭୭ରେ ପହଞ୍ଚାଇ ଥିଲେ। ମୋଇନ୍‌ ଅଲୀ (୭)ଙ୍କୁ ବାଦ ଦେଲେ ଦଳର ଅନ୍ୟ ସମସ୍ତ ମିଡିଲ ଅର୍ଡର ବ୍ୟାଟର ଦୁଇ ଅଙ୍କ ସ୍କୋରରେ ପହଞ୍ଚି ଥିଲେ ମଧ୍ୟ ଏହାକୁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ।

୭୭ ରନ୍‌ରେ ଦଳ ୪ ଉଇକେଟ ହରାଇଥିଲା। ପରେ ଶିବମ ଦୁବେ ୨୫ ରନ୍‌ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଅମ୍ବାତି ରାୟୁଡୁ ୨୩ ରନ୍‌ କରିଥିଲେ। ତେବେ ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀ ୧୮ ବଲରେ ୩୮ ରନ୍‌ ଯୋଡି ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇ ଥିଲେ। ଧୋନୀ ୯ ବଲ୍‌ ଖେଳି ୧ ଚୌକା ଓ ୨ ଛକା ସହିତ ୨୦ ରନ୍‌ ସ୍କୋର କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୧୬ ବଲ୍‌ରୁ ଗୋଟିଏ ଲେଖାଏ ଛକା ଓ ଚୌକା ସହିତ ୨୧ ରନ୍‌ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଚେଲ ମାର୍ଶ ସର୍ବାଧିକ ୩ ଉଇକେଟ ନେଇଥିଲେ। ଅକ୍ଷର ପଟେଲ ୨ ଉଇକେଟ ନେଇଥିବା ବେଳେ ଲଳିତ ଯାଦବ, ଖଲିଲ ଅହମଦ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share