Categories: ଜାତୀୟ

ଷୋଡ଼ଶ ଅର୍ଥ କମିଶନ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୩୦ା୧୧: ଷୋଡ଼ଶ ଅର୍ଥ କମିଶନର ଟମର୍‌ସ ଅଫ୍‌ ରେଫରେନ୍ସ(ଟିଓଆର୍‌)କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଆୟୋଗ ଅବଧି ୨୦୨୬ ଏପ୍ରିଲ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ରହିବ। ୧୬ତମ ଅର୍ଥ କମିଶନଙ୍କ ଜରୁରୀ ସର୍ତ୍ତକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ର ଅନୁମୋଦନ ମିଳିଥିବା ବିଷୟ ବୁଧବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଏହି କମିଶନ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ଟିକସ ଭାଗବଣ୍ଟା ସମ୍ପର୍କିତ ନିଷ୍ପତ୍ତି ନେବେ। କମିଶନ ନିଜ ପଞ୍ଚବାର୍ଷିକୀ (୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ) ରିପୋର୍ଟ ୨୦୨୫ ଅକ୍ଟୋବର ୩୧ ସୁଦ୍ଧା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ। ଟିକସ ଓ ରାଜ୍ୟଗୁଡ଼ିକର ରାଜସ୍ବ ବୃଦ୍ଧି ପଦକ୍ଷେପ ସହ କମିଶନ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ବଳରେ ଗଠିତ ବିପର୍ଯ୍ୟୟ ମୁକାବିଲା ପଦକ୍ଷେପ ନିମନ୍ତେ ପାଣ୍ଠିଯୋଗାଣ ପାଇଁ ରହିଥିବା ବର୍ତ୍ତମାନ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିବେ। ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନାମ ଶୀଘ୍ର ଚୂଡ଼ାନ୍ତ କରାଯିବ। କମିଶନଙ୍କ ଟିଓଆର୍‌ ସମ୍ପର୍କରେ ଉଚିତ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି।

Share