Categories: ବାଣିଜ୍ୟ

ବିଓବିର ୧୧୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୫।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ୧୧୬ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ପ୍ରତିଷ୍ଠା ଦିବସ ବ୍ୟାଙ୍କର ଗୌରବମୟ ଇତିହାସ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ, ବ୍ୟାଙ୍କର ୧୧୫ ବର୍ଷର ଏକ ସମୃଦ୍ଧ ଇତିହାସ ରହିଛି। ଏହା କ୍ରମାଗତ ଭାବେ ସମୟ ସହିତ ନୂତନତାକୁ ମଧ୍ୟ ଆପଣାଇଛି। ଏହା ସହିତ ବ୍ୟାଙ୍କ ଗ୍ରାହକ ଓ ଅନ୍ୟ ପ୍ରମୁଖ ଷ୍ଟେକ ହୋଲଡରଙ୍କ ବିଶ୍ୱାସ ଓ ପୃଷ୍ଠପୋଷକତା ଲାଭ କରିବାରେ ମଧ୍ୟ ସମର୍ଥ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ଏମଏସଏମଇ, ବିଜ୍ଞାନ ଓ ଔଷଧ, ସାହିତ୍ୟ, ସାମାଜିକ କାର୍ଯ୍ୟ, ଉଦ୍ୟୋଗ, କ୍ରୀଡ଼ା ଓ କଳା ଏବଂ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲା।
ସୂଚନାଯୋଗ୍ୟ, ଶ୍ରୀ ମହାରାଜା ସାୟାଜିରାଓ ଗାଏକ୍ୱାଡ-୩ଙ୍କ ଦ୍ୱାରା ବିଓବିର ପ୍ରତିଷ୍ଠା କରାଯାଇଥିଲା। ୧୯୦୮ରେ ବିଓବିର ପ୍ରଥମ ଶାଖା ବରୋଦାର ମାଣ୍ଡବିଠାରେ ପ୍ରତିଷ୍ଠା କରାଯାଇଥିଲା, ଯାହା କି ବ୍ୟାଙ୍କ ଅଫ୍‌ ବରୋଦା ଭାବେ ଆଜି ସାରା ଦେଶରେ ପ୍ରତିଷ୍ଠିତ ହୋଇପାରିଛି। ବର୍ତ୍ତମାନ ବ୍ୟାଙ୍କର ଏକ ଦୃଢ଼ ଆନ୍ତର୍ଜାତିକ ଉପସ୍ଥିତି ରହିଛି ଓ ଏହାର ୧୭ଟି ଦେଶରେ ବ୍ୟାପକ ନେଟୱର୍କ ରହିଛି।

Share