ପୋର୍ଟ-ଓ-ପ୍ରିନ୍ସ୍,୧୭।୧୦: ହାଇତିରେ ୧୭ ଜଣ ଆମେରିକୀୟ ମିଶନାରୀଙ୍କୁ ଅପହରଣ କରାଯାଇଛି। ମାରଣାସ୍ତ୍ର ଧରି କିଛି ଅଜଣା ଲୋକ ଖ୍ରୀଷ୍ଟଧର୍ମର ମିଶନାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରିନେଇଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରେ ଛୋଟପିଲା ମଧ୍ୟ ରହିଛନ୍ତି।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ମିଶନାରୀମାନେ କିଛି ପିଲାଙ୍କୁ ବସରେ ଏକ ଅନାଥ ଆଶ୍ରମରେ ଛାଡ଼ିବାକୁ ଯାଉଥିବାବେଳେ ଏହି ଅପହରଣ ଘଟିଥିଲା। ୱାଶିଂଟନରେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଜେନିଫର ଓ୍ବିୟାଉ ଇମେଲ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଏହି ଘଟଣାର ଅନୁସନ୍ଧାନ ଜାରି ରହିଛି।
ପୋଲିସର ମୁଖପାତ୍ର କହିଛନ୍ତି ତଦନ୍ତ ଜାରି ରହିଛି ଖୁବ୍ ଶୀଘ୍ର ସଫଳତା ମିଳିବ। ତେବେ ରିପୋର୍ଟରେ ମିଶନାରୀମାନଙ୍କ ସମ୍ପର୍କରେ କିମ୍ବା ସେମାନଙ୍କ ଚର୍ଚ୍ଚ ବିଷୟରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ।