ଝଡ଼ ବର୍ଷା ନେଇ ୧୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ପାରଦ ଉପରମୁହାଁ ରହିଥିବାବେଳେ ପାଗ ଶୁଖିଲା ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ଥିବାବେଳେ କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୋମବାର ୧୭ ଜିଲାରେ ଝଡ଼ବର୍ଷା ହେବାର ଆଶଙ୍କା ରହିଥିବାରୁ ସମ୍ପୃକ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ରାଜ୍ୟରେ ଝଡ଼ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଝଡ଼ବର୍ଷା ଜନିତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ କ୍ଷୟକ୍ଷତି ଉପରେ ନଜର ରଖିବା ପାଇଁ ଏସ୍‌ଆର୍‌ସି କହିଛନ୍ତି।

ସୂଚନାନୁସାରେ, ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, କେନ୍ଦୁଝର ଓ ଢେଙ୍କାନାଳରେ ଝଡ଼ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ। ୧୧ ତାରିଖରେ ମଧ୍ୟ ରାଜ୍ୟର କିଛି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାନେଇ ପୂର୍ବନୁମାନ କରାଯାଇଛି। ଏନେଇ ମୟୁରଭଞ୍ଜ, କେନ୍ଦୁଝର, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଶନିବାର ଭଳି ରବିବାର ମଧ୍ୟ ପାରଦ ୪୦ ଡିଗ୍ରୀ ପାଖାପାଖି ରହିଥିଲା। ବାରିପଦାରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ଼ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୩୯ ଡିଗ୍ରୀ ସେଲସିୟସ୍‌ ରହିଥିଲା। ସେହିପରି ରାଜ୍ୟର ୯ ସହରର ତାପମାତ୍ରା ୩୮ ଡିଗ୍ରୀ ଓ ଏହାଠାରୁ ଅଧିକ ଥିଲା। ୧୦ ସହରରେ ତାପମାତ୍ରା ୩୭ ଡିଗ୍ରୀ ବା ତାହାଠାରୁ ଅଧିକ ରେକର୍ଡ କରାଯାଇଥିବାବେଳେ ଅପରାହ୍ନରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ ଓ ନବରଙ୍ଗପୁରର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଥିଲା।

Share