ନଦୀ କୂଳରେ ବଜ୍ରପାତ ନେଲା ୧୭ ଜୀବନ

ଢାକା, ୪ା୮: ବାଂଲାଦେଶର ଚପାଇନଓ୍ବାଗଞ୍ଜ ଜିଲାର ପଦ୍ମ ନଦୀକୂଳରେ ବୁଧବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ କନ୍ୟାପକ୍ଷ ଲୋକେ ନଦୀ ପାର ହେବାକୁ ଯାଉଥିବା ବେଳେ ବଜ୍ରପାତ ଘଟିବାରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି।

ପ୍ରକାଶ ଯେ, ଏକ ଡଙ୍ଗାରେ ନଦୀ ପାର ହେବା ପାଇଁ କନ୍ୟା ପକ୍ଷରୁ ୪୦ ଜଣ ପହଞ୍ଚିଥିଲେ ତେଲିଖାରି ଫେରି ଘାଟ ଠାରେ। କିନ୍ତୁ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଯିବାରୁ ସେମାନେ ପାଖରେ ଥିବା ଏକ ଟିଣ ଛପର ତଳେ ଆଶ୍ରୟ ନେଇଥିଲେ। ଟିଣ ଘର ଉପରେ ବଜ୍ରପାତ ହେବାରୁ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଅପରାହ୍ନ ୧୨ଟାରେ ଘଟିଥିଲା। କନ୍ୟାଙ୍କ ସମେତ ଆହୁରି ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୧୨ ପୁରୁଷ ଥିବା କହିଛନ୍ତି ଶିବଗଞ୍ଜ ଥାନା ଦାୟିତ୍ୱରେ ଥିବା ଫରିଦ ହୋସେନ।

Share