Categories: ଖେଳ

୧୭ଜଣ ପିସିବି ଅଫିସକୁ ପଶି ଆସିଲେ, ଜିନିଷପତ୍ର ବି ନେବାକୁ ଦେଲେନି: ରମିଜ

ଇସଲାମାବାଦ,୨୭।୧୨: ଆଜିକାଲି ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସଭାପତି ପଦରୁ ରମିଜ ରାଜାଙ୍କୁ ହଟାଯାଇ ନଜମ ସେଠୀଙ୍କୁ ନିଯୁକ୍ତ କରାଯାଇଥିଲା। ପରେ ଚୟନ କମିଟିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏସବୁ ପରିବର୍ତ୍ତନ ମଧ୍ୟରେ ରମିଜ ପାକିସ୍ତାନ ସରକାର ଏବଂ ପିସିବି ଉପରେ ବର୍ଷିଛନ୍ତି।

ନିକଟରେ ରମିଜ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ, ନିଜେ ନିୟମ ଉଲ୍ଲଂଘନ କରି ଆଉ ଜଣଙ୍କୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହଟାଇବା କେବଳ ପାକିସ୍ତାନରେ ହୋଇପାରେ। ସେ ଏହି ମାମଲାକୁ ଅନ୍ତର୍ଜାତୀୟ ଫୋରମ୍‌ରେ ଉଠାଇବେ। ଏହି ବୟାନକୁ ନେଇ ବହୁତ ହଙ୍ଗାମା ହୋଇଥିଲା।

ଏବେ ରମିଜ ପାକିସ୍ତାନୀ ଚ୍ୟାନେଲ ବୋଲ୍‌ ନ୍ୟୁଜ୍‌ରେ ଅନ୍ୟ ଖୁଲାସା କରି କହିଛନ୍ତି ଯେ, ପିସିବି ଅଧ୍ୟକ୍ଷ ପଦକୁ ନେଇ ହୋଇଥିବା ପରିବର୍ତ୍ତନ ପରେ ସକାଳ ୯-୧୦ଟାରେ ୧୭ଜଣ ଲୋକ ଅଫିସରେ ପଶି ଆସିଥିଲେ। ଏପରି ଲାଗୁଥିଲା ଯେପରିକି ଏଫ୍‌ଆଇଏ ଚଢ଼ାଉ କରୁଛି। ମୋତେ ମୋର ଜିନିଷପତ୍ର ଆଣିବାକୁ ସମୟ ଦିଆଯାଇ ନ ଥିଲା। ନିଜର କମ୍ପ୍ୟୁଟର, ବିଶ୍ୱକପ୍‌ରେ ନିଜେ ପିନ୍ଧିଥିବା ଟି-ଶର୍ଟ ଘରକୁ ଆଣିପାରି ନ ଥିଲି। ଅନ୍ୟମାନଙ୍କୁ ଶେଷଥର ପାଇଁ ବି ଭେଟି ପାରି ନ ଥିଲି।

କେବଳ ସେତିକି ନୁହେଁ ପାକିସ୍ତାନରେ ହିଁ କେବଳ ଜଣଙ୍କ ପାଇଁ ସମ୍ବିଧାନ ବଦଳିଯାଏ। ଏମିତି କେଉଁଠାରେ ବି ହୁଏନା। ଏମିତି କମିଟି ଗଠନ ହୁଏ, ଯିଏ କେବେ କ୍ରିକେଟ ଖେଳିନାହିଁ। କ୍ରିକେଟ ସହ ତାଙ୍କର ନେଣଦେଣ କିଛି ନାହିଁ। କ୍ରିକେଟରେ ବିକାଶ ହେଉଥିବା ବେଳେ ହଠାତ ମଝିରେ ଏଭଳି କିଛି ଘଟିବା ଦୁଃଖଦ ବୋଲି ରମିଜ କହିଛନ୍ତି।

Share