ଚିନ୍ତା ବଢାଉଛି ରାଜଧାନୀ: ପୁଣି ୧୭ କରୋନା ଆକ୍ରାନ୍ତ, ୨ କରୋନା ଯୋଦ୍ଧା ସାମିଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫ ଜଣଙ୍କ, ଲୋକାଲ କେସ୍‌ ୧୦ ଜଣ ଏବଂ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜୟଦେବ ବିହାରରୁ ଜଣେ ୨୮ ବର୍ଷୀୟ ଯୁବକ, ପଟିଆରୁ ଜଣେ ୬୫ ବର୍ଷୀୟା ମହିଳା ଏବଂ ୩ ବର୍ଷର ଶିଶୁ, ଚନ୍ଦ୍ରଶେଖରପୁରରୁ ୨୨ ବର୍ଷୀୟା ମହିଳା, ୟୁନିଟ-୪ରୁ ୩୨ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ସେହିପରି ସ୍ଥାନୀୟ କେସ୍‌ ମଧ୍ୟରେ ଡୁମଡୁମାରୁ ୪୦ ବର୍ଷୀୟା ଜଣେ ମହିଳା ଏବଂ ୩୦ ବର୍ଷୀୟ ପୁରୁଷ, ପଟିଆ ଭିଲେଜ୍‌ରୁ ୬୩ ବର୍ଷୀୟ ବ୍ୟକ୍ତି, ବିଜେବି ନଗରର ୨୩ ବର୍ଷୀୟ ଯୁବକ, ଦାସପୁର ୪୦ ବର୍ଷୀୟା ମହିଳା, ଶତାବ୍ଦୀ ନଗରରୁ ୨୯ ବର୍ଷୀୟା ମହିଳା, ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ୩୨ ବର୍ଷୀୟ ମହିଳା, ଚକେଇସିହାଣିରୁ ୬୭ ବର୍ଷୀୟ ବୃଦ୍ଧ ଏବଂ ଅନ୍ୟ ୨ ଜଣ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ୨୨ ଏବଂ ୨୬ ବର୍ଷୀୟ ଯୁବକ ଅଛନ୍ତି। ସେହିପରି କରୋନା ଯୋଦ୍ଧାଙ୍କ ମଧ୍ୟରେ ୨୬ ବର୍ଷୀୟ ଯୁବକ ଏବଂ ୩୫ ବର୍ଷୀୟ ବ୍ୟକ୍ତି ଅଛନ୍ତି। ଉଭୟ ବେସରକାରୀ କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୪୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୨୭୪ ଜଣ ସୁସ୍ଥ ହୋଇଥିବାବେଳେ ୬ ଜଣ ମୃତ୍ୟୁବରଣ କରିଛନ୍ତି। ୧୬୯ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Share