ପାରାଦୀପ,୧୨।୧୨(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦରରୁ ସମୁଦ୍ରକୁ ଯାଇଥିବା ପାର୍ବତୀ ନାମକ ଏକ ମାଛଧରା ବୋଟ୍ ୧୭ଟି ତେଲିଆ ବୋରେଇ ମାଛ ଧରିଛି। ଏହାପରେ ଉକ୍ତ ମାଛଗୁଡ଼ିକ ୨୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଉକ୍ତ ମାଛଗୁଡ଼ିକୁ ମଧ୍ୟରୁ ୧୧ଟି ୨୦ରୁ ୨୫ କିଲୋ ଲେଖାଏ ଓଜନର ହୋଇଥିବାବେଳେ ୬ଟି ୧୦ରୁ ୧୫ କିଲୋ ମଧ୍ୟରେ ରହିଛି। ଆନ୍ତର୍ଜାତିକ ବଜାରରେ ଏହି ମାଛର ଚାହିଦା ଅଧିକ। କାରଣ ଏହି ମାଛ ପୁଟିରେ ଔଷଧୀୟ ଗୁଣ ରହିଛି। ଏଥିଯୋଗୁ ଏହା ବିଦେଶକୁ ରପ୍ତାନି ହୋଇଥାଏ। ବୋଟ ଚାଳକ ପୂର୍ଣ୍ଣଚନ୍ଦ୍ର ମାଛ ବିକ୍ରି କଲାପରେ ଖୁସି ବ୍ୟକ୍ତ କରିଛନ୍ତି। ସମୁଦ୍ର କୂଳଠାରୁ ୨୦ ମାଇଲ ଦୂରରେ ବିଛାଯାଇଥିବା ଜାଲରେ ଏହି ମାଛ ପଡ଼ିଥିବା ସେ କହିଛନ୍ତି।