ମୁମ୍ବାଇରୁ ଆସିଲା ୧୭ ପ୍ୟାକେଟ୍‌ ରୁପା ଚାଦର

ପୁରୀ ଅଫିସ,୧୦ା୭: ଶ୍ରୀମନ୍ଦିରର ୮ ଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ ନୀଳାଦ୍ରି ଭକ୍ତନିବାସରେ ପ୍ରାଥମିକ ପର୍ଯ୍ୟାୟରେ ୩ ଦ୍ୱାରର କାର୍ଯ୍ୟ ଆରମ୍ଭ ହୋଇଛି। ଜୟବିଜୟ, ବେହରଣ ଓ କଳାହାଟ ଦ୍ୱାରର ନିର୍ମାଣ ଚାଲିଛି। ଉତ୍କଳୀୟ କଳା, ସଂସ୍କୃତି ଓ ପରମ୍ପରାର ଛାପ ସହ ସ୍ବତନ୍ତ୍ର ଡିଜାଇନ୍‌ କରାଯାଇ ଦ୍ୱାର ନିର୍ମାଣ କରାଯାଉଛି। ସେହି ଦ୍ୱାର ଉପରେ ରୂପା ଛାଉଣି କରାଯିବ। ଏଥିଲାଗି ମୁମ୍ବାଇରୁ ଉତ୍କଳୀୟ କଳା ସଂସ୍କୃତିରେ ନିର୍ମିତ ରୁପା ଚାଦର ୧୭ଟି ପେଟିରେ ପ୍ୟାକ୍‌ ହୋଇ ଶୁକ୍ରବାର ପୁରୀରେ ପହଞ୍ଚିଛି। ତେବେ ଏହି ରୁପାର ଓଜନ କେତେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ବର୍ମାଟିକ୍‌ କାଠରେ ଦ୍ୱାର ତିଆରି ପରେ ସେଥିରେ ରୁପା ଖୋଦେଇ ଚାଦର ଲଗାଯିବ ଓ ତାହାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ସୂଚନାଯୋଗ୍ୟ, ମହାଲକ୍ଷ୍ମୀ ଗର୍ଭଦ୍ୱାର, ବିମଳା, ସାତପାହାଚ, ନୃସିଂହ ଓ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପା ଛାଉଣି କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Share