ପାକିସ୍ତାନରେ ଇଦ୍‌ ପାଳନ ସମୟରେ ଜେଲ୍‌ରୁ ପଳାୟନ କଲେ ୧୭କଏଦୀ

ଇସଲାମବାଦ,୩୦।୬:ପାକିସ୍ତାନରେ ଇଦ୍‌ ପାଳନ ସମୟରେ ୧୭ଜଣ ବନ୍ଦୀ ଜେଲ୍‌ରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା। ଗୁଳିକାଣ୍ଡରେ ଜଣେ ବନ୍ଦୀଙ୍କ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ବାଲୁଚିସ୍ତାନର ଚାମନ ଜେଲରେ ଇଦ୍‌ ଅବସରରେ ନମାଜ ପଢିବା ସମୟରେ ୧୭ଜଣ ବନ୍ଦୀ ଖସି ପଳାଇଯିବାକୁ ଉଦ୍ୟମ କରୁଥିଲେ। ତେବେ ଏହି ସମୟରେ ସେଠାରେ ନିୟୋଜିତ ଥିବା ପୋଲିସ କର୍ମୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିଲା। ବାଲୁଚିସ୍ତାନ ଜେଲ ଇନ୍ସପେକ୍ଟର ମଲିକ ଶୁଜା କାସୀ କହିଛନ୍ତି ଯେ, ହିଂସା ଓ ଗୁଳି ବିନିମୟରେ କିଛି ପୋଲିସ ଗାର୍ଡ ଏବଂ କଏଦୀ ଆହତ ହୋଇଛନ୍ତି।

ଶୁଜା କାସୀ କହିଛନ୍ତି, ଏହି ବନ୍ଦୀମାନେ ଜେଲ୍‌ରୁ ଖସିବା ପାଇଁ ଯୋଜନା କରିଥିଲେ। ଏବଂ ଇଦ୍‌ର ପ୍ରାର୍ଥନା ସମୟରେ ଏହାକୁ କାର୍ଯ୍ୟକାରୀ କରିଥିଲେ। ପଳାୟନ ସମୟରେ ବ୍ୟାରେକ ବାହାରେ ଥିବା ପୋଲିସ ଗାର୍ଡଙ୍କ ଉପରେ ସେମାନେ ଘାତକ ଆକ୍ରମଣ କରିଥିଲେ। ପୋଲିସ କର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଗୁଳି ଚଳାଇଥିଲେ ମଧ୍ୟ ଜଣଙ୍କୁ ଛାଡି ଅନ୍ୟ କଏଦୀ ଖସିଯିବାରେ ସଫଳ ହୋଇଛନ୍ତି।

Share