
ନୂଆପଡ଼ା,୩୦ା୩ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଚୋରି ବାଇକ୍ ଜବତ କରି ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସିନାପାଲି ଥାନା କଏଟପଦର ପଞ୍ଚାୟତ ହଳଦିମୁଣ୍ଡା ଗାଁର ବନମାଳି କୋଲଥିଆ (୩୮), ପର୍ଶୁରାମ ମାଝି (୩୨) ଓ ଘାଟମାଲ ପଞ୍ଚାୟତ ତାଳାକୋଟ ଗାଁର ବାସୁଦେବ ନାଏକ (୨୪)। ବାଇକ୍ ମାଲିକ ଆସି ଉପଯୁକ୍ତ କାଗଜାତ ଦେଲେ ଫେରସ୍ତ କରିବୁ ବୋଲି ସଦର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ନୂଆପଡା ସଦର ବ୍ଲକ ଡୁମେରପାଣି ପଞ୍ଚାୟତ ହଳଦି ଗାଁର ଗୋବିନ୍ଦ ପାଣ୍ଡେ ତାଙ୍କ ସ୍ତ୍ରୀଙ୍କୁ ଅସ୍ତ୍ରୋପଚାର ପାଇଁ ୨୪ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ୨୫ ତାରିଖ ସନ୍ଧ୍ୟାରେ ସେ ହସ୍ପିଟାଲ କ୍ୟାମ୍ପସରେ ବାଇକ୍ ରଖି ସ୍ତ୍ରୀଙ୍କ ପାଖକୁ ଯାଇ ଆସିଲା ବେଳକୁ ଗାଡି ନ ଥିଲା। ଗୋବିନ୍ଦ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୬୬/୨୫) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏ ନେଇ ଏକ ଟିମ ଗଠନ କରାଯାଇଥିଲା। ଟିମ ସିନାପାଲି ଥାନା ଅଞ୍ଚଳକୁ ଯାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ହଳଦିମୁଣ୍ଡା ଗାଁରେ ଚଢାଉ କରି ମାଷ୍ଟର ମାଇଣ୍ଡ ବନମାଳିଙ୍କୁ ଧରିଥିଲା। ପରେ ବାସୁଦେବ ଓ ପର୍ଶୁରାମଙ୍କୁ ଧରି ଜେରା କରିବା ପରେ ସବୁ ରହସ୍ୟ ପଦାକୁ ଆସିଥିଲା। ସିନାପାଲି ଥାନା ଓ ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରୁ ପୋଲିସ ଟିମ୍ ମୋଟ ୧୭ ବାଇକ୍ ଉଦ୍ଧାର କରିଛି।