ଫିନାଇଲ୍‌ ମିଶା ଡାଲି ଖାଇ ୧୭ ଛାତ୍ରୀ ଅସୁସ୍ଥ

ରୂପସା,୧୧।୩(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ୧୭ ଛାତ୍ରୀ ଶୁକ୍ରବାର ଫିନାଇଲ୍‌ ମିଶା ଡାଲି ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ୮ଛାତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ମଧ୍ୟାହ୍ନଭୋଜନ ରୋଷେଇ ବେଳେ ରୋଷେୟାଙ୍କ ଅସାବଧାନତାରୁ ଡାଲିରେ ଫିନାଇଲ ପଡ଼ି ଯାଇଥିଲା। ଡାଲିକୁ ସେ ଧୋଇ ରାନ୍ଧି ଥିଲେ। ମେସ୍‌ରେ ଥିବା ଛାତ୍ରୀମାନେ ମଧ୍ୟାହ୍ନଭୋଜନରେ ସେହି ଡାଲିକୁ ଖାଇଥିଲେ। ତେବେ କିଛିସମୟ ପରେ ୧୭ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ପେଟ ବ୍ୟଥା ହେବାରୁ ସେମାନଙ୍କୁ ମେଡିକାଲ ନିଆଯାଇଥିଲା। ମୁଖ୍ୟ ରୋଷେୟା ଶୁକ୍ରବାର ଛୁଟିରେ ଘରକୁ ଯାଇଥିଲେ। ଅନ୍ୟ ଜଣେ ମହିଳା ସହାୟିକା ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁ ଏଭଳି ଅଘଟଣ ଘଟିଥିବା ଏବଂ ଚିକିତ୍ସା ପରେ ଛାତ୍ରୀମାନେ ସୁସ୍ଥ ଥିବା କଲେଜ ଅଧ୍ୟକ୍ଷା ମିନତୀରାଣୀ ବେହେରା କହିଛନ୍ତି।