ରାଜନଗର, ୨୫ା୧(ଡି.ଏନ.ଏ.): ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡି ପୋଖରୀ ହୁଡାରୁ ୧୭ଟି ବଡ ଗଛକୁ କେତେଜଣ ବ୍ୟକ୍ତି କାଟି ନେଇଛନ୍ତି। ୨୦ ବର୍ଷ ତଳେ ପରିବେଶ ସୁରକ୍ଷା ପାଇଁ ଲଗାଯାଇଥିବା ଏହି ଗଛକୁ କଟାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ମୁତାବକ, ହାତିଆଗଡି ଗାଁରେ ଥିବା ପଞ୍ଚାୟତ ପୋଖରୀ ଚତୁଃପାର୍ଶ୍ୱରେ ୨୦ ବର୍ଷ ତଳେ ଆକାଶୀ, ୟୁକାଲି ପଟାସ ଓ ଚାକୁଣ୍ଡା ଗଛ ଲଗାଯାଇଥିଲା। ସୋମବାର ଉକ୍ତ ଗଁାର କେତେଜଣ ବ୍ୟକ୍ତି ମିଶି କଟର ସାହାଯ୍ୟରେ ଗଛ କାଟି ନେଇଛନ୍ତି। ସରକାରୀ ପୋଖରୀ ହୁଡାରୁ କିପରି ସେମାନେ ୧୭ଟି ବଡ ଗଛକୁ କାଟିବାକୁ ସାହସ ଜୁଟାଇଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ସ୍ଥାନରୁ ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ଜରୁରୀ। ଏହାବାଦ୍ ସରକାରୀ ଜମିରୁ ଯାହା ଗଛ କଟାହେବ, ତାହାକୁ ତହସିଲଦାର ପ୍ରକାଶ୍ୟ ନିଲାମ କରିବେ। ଏପରିସ୍ଥଳେ କିପରି ସେମାନେ ବିନା ଅନୁମତିରେ ଗଛ କାଟି ନେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେହୁରାଙ୍କୁ ପଚାରିବାରୁ ଏ ନେଇ ଗଛ କାଟିଥିବା ଲୋକଙ୍କ ନଁାରେ ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।