Categories: ଜାତୀୟ

ପ୍ରବଳ ଗରମରେ ୧୭୦ ଲୋକଙ୍କ ମୃତ୍ୟୁ !

ନୂଆଦିଲ୍ଲୀ, ୧୮।୬: ଦେଶର ବିଭିନ୍ନ ରାଜ୍ୟରେ ଲୁ ପ୍ରଭାବରୁ ଭୀଷଣ ଗରମ ଅନୁଭୂତ ହେଉଛି । ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ-କଶ୍ମୀର ସମେତ ଅନ୍ୟ ପାହାଡ଼ିଆ ରାଜ୍ୟଗୁଡ଼ିକରେ ଲୁର ପ୍ରଭାବ ପ୍ରବଳ ମାତ୍ରାରେ ପଡ଼ିଛି । ପାଣିପାଗ ବିଭାଗ ଅନୁସାରେ ୧୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଆଉ ଦୁଇଦିନ ଖରା ହେବ । ତେଣୁ ସେଠାରେ ଅତ୍ୟଧିକ ଗରମ ଅନୁଭୂତ ହେବ । ଏହାପରେ ଉତ୍ତର-ପଶ୍ଚିମ ଆଡ଼କୁ ମୁହାଁଇଥିବା ମୌସୁମୀ ବାୟୁ ପ୍ରଭାବରୁ ୧୮ ଜୁନ୍‌ରୁ ୨୦ ଜୁନ୍‌ ମଧ୍ୟରେ କିଛି ରାଜ୍ୟରେ ହଲ୍କା ବର୍ଷା ହେବ । ଫଳରେ ଗରମରୁ ସାମାନ୍ୟ ଆସ଼୍ବସ୍ତି ମିଳିବ ।

ତେବେ ଏହି ଗରମରେ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୯ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବାଞ୍ଚଳର ଚାରୋଟି ଜିଲ୍ଲାରେ ୫୦ ଜଣ ପ୍ରାଣ ହରାଇଛନ୍ତି । ଯେଉଁଥିରେ କେବଳ ବାରାଣାସୀରୁ ୩୩ ଜଣ ମୃତ୍ୟୁ ଘଟିଛି। ଏଥି ସହ ଗାଜିପୁର, ର୍ମିଜାପୁର ଏବଂ ଚାନ୍ଦୌଲିରେ ୧୭ ଜଣ ପ୍ରାଣ ହରାଇଛନ୍ତି। ବୁନ୍ଦେଲଖଣ୍ଡ ଏବଂ କାନପୁର ଅଞ୍ଚଳରୁ ୧୦୦ ଲୋକ ପ୍ରାଣ ଯାଇଛି । କାନପୁରରେ ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହମିରପୁରରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଚିତ୍ରକୋଟରେ ୧୪ ଜଣ, ଫତେହପୁରରେ ୧୩ ଜଣ, ମହୋବାରେ ୧୨ ଜଣ, ବୃନ୍ଦା ଏବଂ ଆରୟାରେ ୬ ଜଣ, ଜାଲୁନରେ ୩ ଜଣ ଏବଂ ଫାରୁଖବାଦରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଫିରୋଜାବାଦରେ ଅତ୍ୟଧିକ ଉତ୍ତାପ କାରଣରୁ ଜଣେ ବୃଦ୍ଧ ଓ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଶିକୋହାବାଦ ଏବଂ ଟୁଣ୍ଡଲାରେ ମଧ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଲୁ ପ୍ରଭାବରୁ ପ୍ରୟାଗରାଜରେ ୮ ଜଣ, କୌଶମ୍ବୀରେ ୫ ଜଣ, ପ୍ରତାପଗଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟରେ ବୁନ୍ଦେଲଖଣ୍ଡରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

Share