Categories: ଜାତୀୟ

୪ ବର୍ଷୀୟାଙ୍କୁ ବଳାତ୍କାର: ସ୍କୁଲରେ ତାଲା

ହାଇଦ୍ରାବାଦ,୨୨ା୧୦: ହାଇଦ୍ରାବାଦସ୍ଥିତ ଏକ ଘରୋଇ ସ୍କୁଲରେ ପଢ଼ୁଥିବା ଜଣେ ୪ ବର୍ଷୀୟା ଛାତ୍ରୀ ୨ ମାସ ଧରି ବଳାତ୍କାରର ଶିକାର ହୋଇଥିଲେ। ଉକ୍ତ ବିଦ୍ୟାଳୟକୁ ଦିଆଯାଇଥିବା ସରକାରୀ ସ୍ବୀକୃତିକୁ ତୁରନ୍ତ ରଦ୍ଦ କରି ସେଠାରେ ତାଲା ଝୁଲାଇବାକୁ ତେଲଙ୍ଗାନା ଶିକ୍ଷାମନ୍ତ୍ରୀ ସବିତା ଇନ୍ଦ୍ର ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଭଳି ଘଟଣାକୁ ଏଡ଼ାଇବା ପାଇଁ କ’ଣ ସବୁ ସୁରକ୍ଷା ପଦକ୍ଷେପ ନିଆଯାଇଛି ସେନେଇ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ସକାଶେ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ କମିଟିରେ ସ୍କୁଲ ଶିକ୍ଷା ନିର୍ଦ୍ଦେଶକ, ମହିଳା ଓ ଶିଶୁ ବିକାଶ ସଚିବ ଓ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ ପୋକ୍ସୋ ମାମଲାଗୁଡ଼ିକର ତଦନ୍ତ କରୁଥିବା ଜଣେ ବରିଷ୍ଠ ଅଧିକାରୀ ରହିବେ। ଏହି କମିଟି ସପ୍ତାହେ ମଧ୍ୟରେ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବ।
ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବଞ୍ଜାରା ହିଲ୍ସ ଅଞ୍ଚଳରେ ଥିବା ଏହି ସ୍କୁଲକୁ ସବୁ ଦିନ ପାଇଁ ବନ୍ଦ କରିଦିଆଯାଇଛି। ନାବାଳିକାଙ୍କୁ ସ୍କୁଲରେ ୨ ମାସ ଧରି ବଳାତ୍କାର କରିଥିବା ପ୍ରିନ୍ସିପାଲଙ୍କ ଡ୍ରାଇଭର ବୁଧବାର ଗିରଫ ହୋଇଛନ୍ତି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଉପହାସ କରିଥିବା ପ୍ରିନ୍ସିପାଲଙ୍କୁ ମଧ୍ୟ ଅଭିଭାବକଙ୍କ ବିକ୍ଷୋଭ ପରେ ବଞ୍ଜାରା ହିଲ୍ସ ପୋଲିସ ଗିରଫ କରିଛି। ସ୍କୁଲର ସିସିଟିଭି କ୍ୟାମେରା କାମ କରୁ ନ ଥିବା ଏବଂ ଡ୍ରାଇଭର ଅନେକ ସମୟରେ ପିଲାଙ୍କୁ ପାଠ ପଢ଼ାଉଥିବା ତଦନ୍ତରୁ ଜଣାପଡ଼ିଛି। ସ୍ଥାୟୀ ଭାବେ ସ୍କୁଲ ବନ୍ଦ ହେବା ପରେ ସେଠାରେ ପଢ଼ୁଥିବା ୭୦୦ ଛାତ୍ରୀଛାତ୍ରଙ୍କ ନାମ ଶିକ୍ଷାବର୍ଷ ମଝିରେ ଅନ୍ୟତ୍ର ଲେଖାଇବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Share