ରଥଯାତ୍ରାରେ ମୁତୟନ ହେବେ ୧୭୦ ପ୍ଲାଟୁନ ଫୋର୍ସ

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର ରଥଯାତ୍ରାରେ ୧୭୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଏବଂ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶୃଙ୍ଖଳିତ ତଥା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଶନିବାର ପୁରୀ ଟାଉନ ହଲ୍‌ରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ୍‌ ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନଶୃଙ୍ଖଳା ରକ୍ଷା, ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ସମେତ ବିଭିନ୍ନ ଗୁୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକ ପରେ ଡିଜିପି ବଂଶଲ ସୂଚନା ଦେଇ କହିଛନ୍ତି, ଆସନ୍ତା ୨୦ ତାରିଖ ମଙ୍ଗଳବାରଠାରୁ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହେଉଛି। ଏହାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାରେ ପୋଲିସ ପ୍ରଶାସନର ଗୁରୁଦାୟିତ୍ୱ ରହିଛି। ରଥଯାତ୍ରା ସମୟରେ ବଛା ବଛା ଦକ୍ଷ ପୋଲିସ ଅଧିକାରୀମାନଙ୍କୁ ଏଠାରେ ନିୟୋଜିତ କରାଯାଇଥାଏ। ରଥଯାତ୍ରା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ତେବେ କ’ଣ ଆଉ ସମସ୍ୟା ବା ଅସୁବିଧା ରହିଛି ସେ ନେଇ ଆଲୋଚନା କରାଗଲା। ପୋଲିସ ପକ୍ଷରୁ ମଧ୍ୟ ମକ୍‌ଡ୍ରିଲ କରାଯାଇଛି। ରଥଯାତ୍ରାରେ ୧୭୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏବଂ ଓଡ଼ିିଶା ପୋଲିସ ପକ୍ଷରୁ ଭଲ ଅନୁଭୂତି ନେଇ ଫେରିବେ ସେଥିଲାଗି ପ୍ରୟାସ କରାଯାଉଛି। ଜଣେ ଏଡିଜିଙ୍କୁ ଟ୍ରାଫିକ ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଛି। ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଅଫିସର ରହିଛନ୍ତି। ତିନିରଥର କର୍ଡନରେ ବିଭିନ୍ନ ର଼୍ୟାଙ୍କର ଅଫିସର ରହିବେ। ସମସ୍ତ ଅଫିସର ପୁରୀରେ ପହଞ୍ଚତ୍ ସାରିଛନ୍ତି। ସେମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି। ପୋଲିସ ପକ୍ଷରୁ ଗୋଟିଏ ମୁଖ୍ୟ କଣ୍ଟ୍ରୋଲ ରୁମ୍‌ କରାଯାଉଛି। ସେହିପରି ୧୬ କିମ୍ବା ୧୭ଟି ସବ୍‌କଣ୍ଟ୍ରୋଲ ରୁମ୍‌ ହେଉଛି। ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି। ସମୁଦ୍ରରେ କୋଷ୍ଟଗାର୍ଡ ନିୟୋଜିତ ରହିବେ। ଭକ୍ତଙ୍କ ସୁବିଧା ନେଇ ରେଳ ବିଭାଗ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଉଛି। ବିଭିନ୍ନ ସେକ୍ଟର ଓ ଜୋନ୍‌ରେ ନିୟୋଜିତ ପୋଲିସ ଅଧିକାରୀମାନେ କିଭଳି ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବେ, ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଠିକ୍‌ ଭାବେ ତୁଲାଇବେ, ଗହଳି ନିୟନ୍ତ୍ରଣ ସହ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବେ, ବିଭିନ୍ନ ପାସ୍‌ଧାରୀଙ୍କୁ କିଭଳି ଛଡ଼ାଯିବ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବଂଶଲ ପ୍ରକାଶ କରିଛନ୍ତି। ସେହିପରି ଏଡିଜି ଅମିତାଭ ଠାକୁର କହିଛନ୍ତି, ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌ ହେବ। ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଏଭଳି ତିନିଭାଗରେ ଟ୍ରାଫିକ ପରିଚାଳନା କରାଯିବ। ସହରକୁ ୧୪ଟି ଜୋନ୍‌ ଓ ୨୯ ସେକ୍ଟରରେ ବିଭକ୍ତ କରାଯାଇଛି। ଟ୍ରାଫିକ ଦାୟିତ୍ୱରେ ଥିବା ଭକ୍ତମାନେ ଦୁଇଚକିଆ ଓ ଚାରିଚକିଆ ଗାଡ଼ି କେଉଁଠାରେ ପାର୍କିଂ କରିବେ, କେଉଁବାଟେ ଆସିବେ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବାକୁ ପ୍ରାଥମିକତା ଦିଆଯାଇଛି।

Share