Categories: ଖେଳ

ଆଡ୍‌ହକ କମିଟି ନିକଟରେ ୧୭୦୦ ଏଣ୍ଟ୍ରି

ନୂଆଦିଲ୍ଲୀ,୧୮ା୫(ପି.ଟି.): ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ୧୭ ଓ ୨୩ ବର୍ଷରୁ କମ୍‌ ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନଶିପ୍‌ ଚୟନ ଟ୍ରାଏଲ୍‌ ଆୟୋଜନ କରିଛି ଆଡ୍‌ହକ୍‌ କମିଟି। ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ପକ୍ଷରୁ ରେସଲିଂ ଫେଡେରେଶନର ସମସ୍ତ କର୍ମୀଙ୍କୁ ବାଦ୍‌ ଦିଆଯାଇ ଆଡ୍‌ହକ୍‌ କମିଟିକୁ ଚୟନର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୪ ଦିନିଆ ଚୟନ ଶିବିର ଏନ୍‌ଆଇଏସ୍‌ ପଟିଆଲା ଓ ସାଇ ଆଞ୍ଚଳିକ କେନ୍ଦ୍ର ସୋନେପତରେ ଅନୁଷ୍ଠିତ ହେଉଛି। ଏହି ଚୟନ ଟ୍ରାଏଲ ପୂର୍ବରୁ କମିଟି ନିକଟକୁ ରେକର୍ଡ ସଂଖ୍ୟକ ୧୭୦୦ଟି ଏଣ୍ଟ୍ରି ଆସିଥିବା ଜଣାପଡିଛି। ବୁଧବାର ଆଡ୍‌ହକ କମିଟି ସଦସ୍ୟ ତଥା ଚୟନ କମିଟି ମୁଖ୍ୟ ଭୂପିନ୍ଦର ସିଂ ବାଜଓ୍ବା ଉଭୟ କେନ୍ଦ୍ରକୁ ଯିବା ସହିତ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ୧୭ ଓ ୨୩ ବର୍ଷରୁ କମ୍‌ ଏସିଆନ ଚାମ୍ପିୟନ୍‌ଶିପ୍‌ ଜୁନ୍‌ ୧୦ରୁ ୧୮ ତାରିଖ ମଧ୍ୟରେ ବିଶକେକରେ ଆୟୋଜିତ ହେବ। ସମୁଦାୟ ୧୭୦୪ଟି ଏଣ୍ଟ୍ରି ଆସିଥିବା ବେଳେ ୨୩ ବର୍ଷରୁ କମ୍‌ ବୟସ ବର୍ଗର ଫ୍ରି ଷ୍ଟାଇଲରେ ୩୯୩ ଜଣ ପଞ୍ଜୀକରଣ କରିଛନ୍ତି। ଗ୍ରୀକୋ ରୋମାନରେ ୨୨୦ ଓ ମହିଳା ବର୍ଗରେ ୧୫୧ ଜଣ ପଞ୍ଜୀକୃତ କରିଛନ୍ତି। ୧୭ ବର୍ଷରୁ କମ୍‌ ବୟସ ବର୍ଗର ଫ୍ରି ଷ୍ଟାଇଲରେ ୪୯୦ ଜଣ ପଞ୍ଜୀକରଣ କରିଛନ୍ତି। ଗ୍ରୀକୋ ରୋମାନରେ ୨୦୭ ଓ ମହିଳା ବର୍ଗରେ ୨୪୩ ଜଣ ପଞ୍ଜୀକୃତ କରିଛନ୍ତି। ଫ୍ରି ଷ୍ଟାଇଲ ବର୍ଗରେ ବାଜଓ୍ବା, ଜଗମନ୍ଦେର ସିଂ ଓ ରମେଶ ଗୁଲିଆ ଚୟନକର୍ତ୍ତା ରହିଛନ୍ତି।

Share