୧୭୧୯ ବୋତଲ କଫ୍‌ ସିରପ ଜବତ୍‌, ୧୮ ଗିରଫ

ବଲାଙ୍ଗୀର, ୧୮ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୋଲିସ ସୋମବାର ଆନ୍ତଃରାଜ୍ୟ କଫ୍‌ ସିରପ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ପୋଲିସ ଟିମ୍‌ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ୧୭୧୯ ବୋତଲ କଫ୍‌ ସିରପ ଜବତ କରିବା ସହ ଦୁଇ ମୁଖ୍ୟ ଚୋରାଚାଲାଣକାରୀଙ୍କ ସମେତ ୧୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି କାର, ୩ଟି ବାଇକ, ୧୩ଟି ମୋବାଇଲ ଫୋନ୍‌, ଏକ ଟାଙ୍ଗିଆ ଏବଂ ଏକ ହକିବାଡି ଜବତ କରିଛି। ଏହି ଆନ୍ତଃରାଜ୍ୟ କଫ୍‌ ସିରପ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଦଫାଶ ପରେ ସୋମବାର ଏସ୍‌ପି ଋଷିକେଶ ଖିଲାରି ସ୍ଥାନୀୟ ରିଜର୍ଭ ପୋଲିସ ବାରାକ୍‌ ଠାରେ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗରୁ ଏସକଫ୍‌ ବ୍ରାଣ୍ଡ ଏବଂ ୱିନ୍‌ସେରେକ୍ସ-ଟି ବ୍ରାଣ୍ଡର କଫ୍‌ ସିରପ ବଲାଙ୍ଗୀର ସମେତ ଆଖପାଖ ପଡୋଶୀ ଜିଲାକୁ ଚୋରାଚାଲାଣ ହେଉଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ଖବର ପାଇଲା ପରେ ବଲାଙ୍ଗୀର ପୋଲିସ ଟିମ୍‌ ସଜାଗ ହୋଇଥିଲା। ରବିବାର ରାତି ପ୍ରାୟ ୩ଟାରେ ବଲାଙ୍ଗୀର ପୋଲିସ ପାଟ୍ରୋଲିଂ କରୁଥିବାବେଳେ ସହରର ସୁଦପଡା କଲ୍ୟାଣମଣ୍ଡପ ନିକଟରେ ୨/୩ଟି ଗାଡିରେ ବଡଧରଣର କଫ୍‌ ସିରପ ଚୋରାଚାଲାଣ ହେଉଥିବା ଖବର ମିଳିଥିଲା। ସ୍ବତନ୍ତ୍ର ପୋଲିସ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ାଉ କରି ସେଠାରେ ଥିବା ଦୁଇ କାର (ନିସାନ୍‌ ଓଡି୩୪ଏଲ୧୭୮୬ ଏବଂ ବାଲେନୋ ଓଡି୧୭ଏଏ୧୫୨୯) ଏବଂ ତିନୋଟି ବାଇକକୁ ଅଟକ ରଖି ଯାଞ୍ଚ କରିଥିଲା। ଉକ୍ତ କାରରୁ କଫ ସିରପ ଜବତ ହୋଇଥିଲା। ଏହାପରେ ବଲାଙ୍ଗୀର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୮ ଜଣଙ୍କୁ ଗିରଫ କରିଥିଲା। ଜବତ ୧୭୧୯ ବୋତଲ କଫ୍‌ ସିରପରେ ୧୬୦୦ ବୋତଲ ଏସକଫ୍‌ ବ୍ରାଣ୍ଡ ଏବଂ ଏକ ନୂଆବ୍ରାଣ୍ଡ ୱିନସେରେକ୍ସ ୧୧୯ ବୋତଲ ଜବତ କରାଯାଇଛି। କଟକରୁ ଦୁଇ କଫ୍‌ ସିରପ ଯୋଗାଣକାରୀଙ୍କୁ ଗିରଫ କରାଯିବା ପରେ ସହର, ଜିଲା ତଥା ପଡୋଶୀ ଜିଲାରେ କଫ୍‌ ସିରପ ବିକ୍ରି ଏବଂ ଚାଲାଣରେ ସକ୍ରିୟ ଥିବା ୧୬ ଜଣଙ୍କୁ ପୋଲିସ ବାନ୍ଧିଛି।