
ବରଗଡ଼, ୨୧।୩(ପ୍ରେମାନନ୍ଦ ଖମାରୀ) – ଆସନ୍ତା ଏପ୍ରିଲ ମାସ ୨ ତାରିଖ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ବାଲ ବାଟିକା ପାଇଁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରତ୍ୟେକ ଜିଲାରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ନିମନ୍ତ୍ରଣ ପତ୍ର ବଣ୍ଟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବରଗଡ଼ ବ୍ଲକ ସରସରା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଜିଲାପାଳ ଗୋୟଲ ପରିଦର୍ଶନ କରିବା ସହ ଉକ୍ତ ଗ୍ରାମ ମାନଙ୍କରେ ପହଞ୍ଚି ଛାତ୍ରୀଛାତ୍ର, ଅଭିଭାବକ ଏବଂ ଗ୍ରାମବାସୀମାନଙ୍କୁ ଭେଟି ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ହେବାକୁ ଥିବା ପ୍ରବେଶ ଉତ୍ସବ ଓ “ଖଡ଼ି ଛୁଆଁ “ପର୍ବ ରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ବରଗଡ଼ ବିଡ଼ିଓ ବ୍ରେସିୟସ୍ ଡୁଙ୍ଗଡୁଙ୍ଗ, ବ୍ଲକ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ସମଗ୍ର ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀବୃନ୍ଦ, ସ୍ଥାନୀୟ ସିଆରସିସି ଉପସ୍ଥିତ
ରହିଥିଲେ। ସେମାନେ ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ସହ ବାଲ ବାଟିକା ପାଇଁ ହେବାକୁ ଥିବା ପ୍ରବେଶ ଉତ୍ସବ ସମ୍ବନ୍ଧରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ବାଲ୍ ବାଟିକା ଓ ଗ୍ରେଡ ୱାନ ୨୦୨୫ -୨୬ ନାମ ଲେଖା ପାଇଁ ବରଗଡ଼ ବ୍ଲକରେ ୧୪୦୫, ଅତାବିରାରେ ୧୦୮୦ ଅମ୍ବାଭୋନାରେ ୫୦୪,ବରପାଲିରେ ୭୭୭, ଭଟଲିରେ ୬୧୨
ଭେଡେନରେ ୮୩୦, ବିଜେପୁରରେ ୭୪୮, ଗାଇସିଲେଟରେ ୮୯୭, ଝାରବନ୍ଧରେ ୭୯୬, ପାଇକମାଳରେ ୭୯୮, ସୋହେଲା ବ୍ଲକରେ ୧୦୯୨ ଜଣ ଅର୍ଥାତ୍ ସର୍ବମୋଟ ୧୦୪୯୪ ଜଣ ୫ବର୍ଷ ଯୁକ୍ତ ବୟସର ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଯୋଗ୍ୟ ହୋଇଛନ୍ତି । ଠିକ୍ ସେହିପରି ୧୨ ବ୍ଲକରେ ୬ବର୍ଷ ଯୁକ୍ତ ବୟସର ନାମ ଲେଖାଇବାକୁ ଥିବା ଯୋଗ୍ୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୬୭୧୯ ଜଣ ରହିଛି। ଏଭଳିଭାବେ ବରଗଡ଼ ଜିଲାରେ ସର୍ବ ମୋଟ ୧୭ହଜାର ୨୧୩ ଜଣ ଛାତ୍ରୀଛାତ୍ର ବାଲ ବାଟିକାରେ ନାମ ଲେଖାଇବେ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।