ଆଚରଣ, ଉଚ୍ଚାରଣ ପ୍ରତି ସଚେତନ ରହିବା ଜରୁରୀ

ଜଳେଶ୍ୱର, ୩।୨(ସ୍ବ.ପ୍ର.)-ଓଡ଼ିଶାର ଉପାନ୍ତ ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଆମ୍ବଳିଅଠା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ଉଦ୍‌ଘାଟନ କରି ପ୍ରତ୍ୟେକଙ୍କ ଆଚରଣ ଓ ଉଚ୍ଚାରଣ ଓ ସଂସ୍କାର ପ୍ରତି ସଚେତନ ରହିଲେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରିବ।
ବିଦ୍ୟାଳୟ ସମ୍ପାଦକ ରବିନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅତିଥି ସିଆର୍‌ସିସି ପଙ୍କଜ କୁମାର ଜେନା ଯୋଗ ଦେଇଥିଲେ। ଆୟୋଜିତ ପୁରସ୍କାର ବିତରଣ ସଭାରେ ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ପ୍ରଧାନ ସଭାପତିତ୍ୱ କରି ସ୍ବାଗତଭାଷଣ ଦେଇଥିଲେ। ମୁଖ୍ୟଅତିଥି ଭାବେ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ଯୋଗଦେଇ ଛାତ୍ରୀଛାତ୍ରଙ୍କର ପ୍ରଚେଷ୍ଟା ଜାରି ରହିଲେ ସଫଳତା ମିଳିପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ସମାଜସେବୀ ସୁବାସିନୀ ଜେନା ଯୋଗଦେଇ ସୁସ୍ଥ ମାନସିକତା ଓ ଇଚ୍ଛାଶକ୍ତି ରହିଲେ ବଡ଼ କିମ୍ବା ଭଲ ମଣିଷ ସୃଷ୍ଟି ହେବାରେ ବାଧକ ସୃଷ୍ଟି ହେବନାହିଁ ବୋଲି କହିଥିଲେ। ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ପାତ୍ର, ବରିଷ୍ଠ ଖବରଦାତା ଅବନୀ କୁମାର ଚନ୍ଦ, ସିଆର୍‌ସିସି ମାଖନଲାଲ ବେରା, ବିଦ୍ୟାଳୟର ଉପଦେଷ୍ଟା ସୁକୁମାର ରଣା, ସମାଜସେବୀ ସପନ କୁମାର ଜେନା ସାମ୍ପ୍ରତିକ ସମାଜରେ ଚାଲିଥିବା ଶିକ୍ଷାୟତନ ଶିକ୍ଷାରେ ବେସରକାରୀ ସ୍କୁଲଗୁଡ଼ିକର ସଫଳତା, ସରକାରୀ ବିଦ୍ୟାଳୟ ପ୍ରତି ଏକ ଆହ୍ବାନ ବୋଲି କହିଥିଲେ। ଆଚାର୍ଯ୍ୟ ଶାନ୍ତନୁ ଦେ ମଞ୍ଚ ଆହ୍ବାନ, ମଞ୍ଚ ପରିଚାଳନା, ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁରାଧା ପ୍ରଧାନ ବିବରଣୀ ପାଠ କରିଥିଲେ। ଆଚାର୍ଯ୍ୟ ଅଜୟ କୁମାର ଚାନ୍ଦ, ଅଭିଜିତ୍‌ ଜେନା, ରୀତାରାଣୀ ସେନାପତି, ରଞ୍ଜିତା ମହାନ୍ତି, ମମତା ସ୍ବାଇଁ, ବିଦ୍ୟୁତ୍‌ ପ୍ରଭା ଦାସ, ସୁକାନ୍ତି ନନ୍ଦୀ, ରିତା ଜେନା ପ୍ରମୁଖ ପରିଚାଳନା କରିଥିଲେ। ଅପରାହ୍ନରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବା ସହିତ କ୍ଷୁଦ୍ରନାଟକ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଶେଷରେ କୃତି ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଯତିନ୍ଦ୍ର ନାଥ ଦେଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।