ଶ୍ରୀନଗର, ୧୭।୯: ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୭ ସୁଦ୍ଧା ଗତ ୯ ମାସ ମଧ୍ୟରେ ଆତଙ୍କବାଦ ବିରୋଧୀ ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିିଳିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ୭୨ ଏନ୍କାଉଣ୍ଟରରେ ୧୭୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଶ୍ରୀନଗରରେ ହୋଇଥିବା ୭ ସର୍ଚ୍ଚ ଅପରେଶନ୍ରେ ୧୬ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବା ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ୍ ସିଂ ଗୁରୁବାର ସୂଚନା ଦେଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ କେତେକ ବିଦେଶୀ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କର ପାକିସ୍ତାନ ସହିତ ଲିଙ୍କ୍ ଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ସୈନ୍ୟ ବାହିନୀର ସହଯୋଗ ଆତଙ୍କବାଦୀଙ୍କୁ ମିଳୁଛି। ସେହିପରି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଆତଙ୍କବାଦୀଙ୍କୁ ଆବଶ୍ୟକ ତାଲିମ୍ ଯୋଗାଇ ଦେଉଥିବା ଅଭିଯୋଗ ମଧ୍ୟ ହେଉଛି। ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି।