୩ ବର୍ଷରେ ୧୭ ୭୫୮ ଆତ୍ମହତ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୯: ସୋମବାର ଅନୁଷ୍ଠିତ ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟରେ ଆତ୍ମହତ୍ୟା ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ୩ ବର୍ଷରେ ମୋଟ ୧୭ ହଜାର ୭୫୮ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି। ୨୦୨୧ରୁ ୨୦୨୩ ମଧ୍ୟର ତଥ୍ୟ ମୁଖ୍ୟମନ୍ତ୍ରୀ ଦେଇଥିଲେ। ୩ ବର୍ଷରେ ୨୬୩ ଛାତ୍ରୀ, ୨୧୮ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୨୩ରେ ସର୍ବାଧିକ ୧୦୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୩ ବର୍ଷରେ ୪ ଚାଷୀ ଆତ୍ମହତ୍ୟା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ, ବିଧାନସଭା ଆରମ୍ଭରେ ସୋମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଥିଲା। ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇ ନ ଥିବା ଅଭିଯୋଗରେ ଏହି ହୋହଲ୍ଲା ଦେଖିବାକୁ ମିଳିଥିଲା। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ପରେ କଂଗ୍ରେସ ବିଧାୟକମାନେ ମଧ୍ୟ ବିଜେଡି ସଦସ୍ୟମାନଙ୍କ ସହ ନାରାବାଜୀ କରିଥିଲେ।

ଆଜି ବିଧାନସଭା ଆରମ୍ଭରେ ଦିବଙ୍ଗତ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଥିଲେ। ତାପରେ ତାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।

Share