ବ୍ୟବସାୟୀଙ୍କୁ ବାନ୍ଧି ଲୁଟିନେଲେ ୧୮.୫ ଲକ୍ଷ

କଟକ ଅଫିସ,୨୨ା୧୦: କଟକ ଜିଲା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାର ଅଞ୍ଚଳର ଦୀପ୍ତିରଞ୍ଜନ ପଟ୍ଟନାୟକ ନାମକ ବ୍ୟବସାୟୀଙ୍କ ଘରୁ ଶୁକ୍ରବାର ସକାଳେ ଏକ ବଡଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଦୀପ୍ତିରଞ୍ଜନ ଓ ତାଙ୍କ ସ୍ତ୍ରୀଙ୍କୁ ବାନ୍ଧି ପକାଇବା ସହ ଘରର ଆଲମିରାରେ ଥିବା ଅଳଙ୍କାର ଓ ୧୮ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଖବରପାଇ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁ, ଚାଉଳିଆଗଞ୍ଜ ଥାନା ଆଇଆଇସି ଶଶିକାନ୍ତ ରାଉତ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଦୀପ୍ତିରଞ୍ଜନ ଘରେ ଶୋଇଥିବାବେଳେ ୫ ଜଣ ଦୁର୍ବୃତ୍ତ କବାଟ ଠକ୍‌ ଠକ୍‌ କରିଥିଲେ। ତାଙ୍କ ସ୍ତ୍ରୀ ଶବ୍ଦ ଶୁଣି କବାଟ ଖୋଲିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଘର ଭିତରକୁ ପଶିଆସି ତାଙ୍କୁ ବାନ୍ଧି ପକାଇଥିଲେ। ଦୀପ୍ତିରଞ୍ଜନ ପାଟି ଶୁଣି ଉଠିପଡ଼ିଥିଲେ। ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କ ହାତରେ ମାଉଜର, ଭୁଜାଲି ଓ ଲୁହାରଡ଼ ଥିବା ଦେଖିବାକୁ ପାଇଥିଲେ। ସେ ଦୁର୍ବୃତ୍ତମାନଙ୍କୁ ବାଧା ଦେବାରୁ ସେମାନେ ତାଙ୍କ ମୁଣ୍ଡକୁ ବାଡ଼େଇ ଆହତ କରିବା ସହ ପାଟିରେ କିଛି ଭର୍ତ୍ତି କରି ବାନ୍ଧି ପକାଇଥିଲେ। ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିଯାଇଛି। ଏହାପରେ ଦୁର୍ବୃତ୍ତମାନେ ଆଲମିରା ଖୋଲି ଟଙ୍କା ଓ ଅଳଙ୍କାର ଲୁଟ୍‌ କରିଥିଲେ। ଲୁଟ୍‌ବେଳର ଦୃଶ୍ୟ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଲୁଟ୍‌ର ପ୍ରମାଣ ନଷ୍ଟ କରିବା ପାଇଁ ଉକ୍ତ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଦୁର୍ବୃତ୍ତମାନେ ଖୋଲି ନେଇଯାଇଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ରାସ୍ତାପାର୍ଶ୍ୱରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ଅପରାଧୀଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି। ଦୀପ୍ତିରଞ୍ଜନ ଜଣେ ପ୍ରତିଷ୍ଠିତ ବିଲ୍ଡର ହୋଇଥିବାରୁ ଦୁର୍ବୃତ୍ତମାନେ ତାଙ୍କୁ ପୂର୍ବରୁ ଟାର୍ଗେଟ କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ଆନ୍ତଃରାଜ୍ୟ ଲୁଟେରାମାନଙ୍କ ସମ୍ପୃକ୍ତି ଥାଇପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି। ଏନେଇ ଏସିପି ସ୍ବାଇଁ କହିଛନ୍ତି, ମହାନଦୀ ବିହାର ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଡକାୟତି ଏକ ସ୍ପର୍ଶକାତର ଘଟଣା। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

Share