Advertisement

୧୮ ଏକର ହୋଇଗଲା ଦେଢ଼ ଏକର

କୁନ୍ଦୁରା,୬ା୧(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଡାଙ୍ଗରାପାଲିର ଚାଷୀ ଅଜିତ ଗଣ୍ଡା ଖରିଫ ଋତୁରେ ପଞ୍ଜୀକରଣରେ ହୋଇଥିବା ତ୍ରୁଟି ସୁଧାରିବାକୁ ଗୁରୁବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଚଳିତ ଖରିଫ ଋତୁରେ ୧୮ ଏକର ଜମିରେ ଚାଷ କରିଥିବା ପଞ୍ଜୀକରଣ ବେଳେ ଉଲ୍ଲେଖ କରିଥିବା ବେଳେ ତାଙ୍କର ମାତ୍ର ଦେଢ ଏକର ଜମିରେ ଚାଷ ହୋଇଥିବା ଦର୍ଶାଇ ପଞ୍ଜୀକରଣ କରାଯାଇଛି। ବର୍ତ୍ତମାନ ତାଙ୍କର ଏବଂ ତାଙ୍କ ବାପାଙ୍କ ନାମରେ ୧୯ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ମେସେଜ ଆସିଛି। ଅଜିତଙ୍କ ନାମରେ ୧୩ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ମେସେଜ ଆସିଥିବା ବେଳେ ତାଙ୍କ ବାପାଙ୍କ ନାମରେ ୬ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଏହି ମେସେଜରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ବାପପୁଅ ଉଭୟେ ୧୪୦ କୁଇଣ୍ଟାଲ ଧାନ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ସେମାନେ ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ସେ ଧାନ ବିକ୍ରି କରିବା ନେଇ ମେସେଜ ପାଇବା ପରେ କୁନ୍ଦୁରା ସମବାୟ ସମିତିକୁ ଯାଇଥିଲେ। ସେଠାରେ ତାଙ୍କୁ କେହି ସହଯୋଗ କରି ନ ଥିଲେ। ସେ ଜୟପୁର ଡିଆର୍‌ସିଏସ୍‌ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ସେଠାରେ କାର୍ଯ୍ୟରତ ଶିଶିର ଦାସ ତାଙ୍କୁ ଏଠାରେ କିଛି ଜଣା ପଡ଼ିବନାହିଁ, ତୁମେ ଜିଲା ଯୋଗାଣ ଅଧିକାରୀଙ୍କ ଭେଟି ତୁମ ସମସ୍ୟା ସମ୍ପର୍କରେ ଆଲୋଚନା କର ବୋଲି କହିଥିଲେ। ସେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ ମୋବାଇଲ ଫୋନରେ ଆସିଥିବା ମେସେଜର କୃଷକ କୋଡ୍‌ ନଂ. ମାଗି ଜିଲା ଯୋଗାଣ ଅଧିକାରୀ ଏଠାରେ ମଧ୍ୟ କିଛି ଜଣାପଡ଼ିବ ନାହିଁ ବୋଲି କହିବାରୁ ସେ ଉପଜିଲାପାଳ ବେଦବର ପ୍ରଧାନଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ସମସ୍ୟା ସମ୍ପର୍କରେ ଜଣାଇଥିବା ଅଜିତ କହିଛନ୍ତି। ଏଥିସହ ତାଙ୍କ ଧାନ ଯଦି ସମବାୟ ସମିତିର ଭୁଲ୍‌ ଯୋଗୁ ବିକ୍ରି ନ ହୁଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ପଞ୍ଜୀକରଣ ନିମନ୍ତେ ଚାଷୀ ଦେଉଥିବା କାଗଜପତ୍ରକୁ ନେଇ ସମବାୟ ବିଭାଗର କେତେଜଣ ଅନେକ ଚାଷୀଙ୍କ ଜମିର ପରିମାଣ କମାଇ ଦେଉଥିବା ବେଳେ କେତେଜଣଙ୍କ ନାମ ପଞ୍ଜୀକରଣରୁ ବାଦ୍‌ ଦେଉଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ଲାଗି ବ୍ଲକ ଭାଜପା ସଭାପତି ବଦ୍ରିନାରାୟଣ ଆଚାର୍ଯ୍ୟ,ସାଥୀ ସ୍ବେଚ୍ଛାସେବୀ ସଙ୍ଗଠନର ସଭାପତି ଚନ୍ଦ୍ର ଶେଖର ରଥ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share