Categories: ଖେଳ

ଓଡ଼ିଶାରୁ ଭାଗନେବେ ୧୮ ଆଥ୍‌ଲେଟ

ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଚାଇନାର ଚେଙ୍ଗଡୁଠାରେ ଚଳିତ ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୩୨୫ ଜଣିଆ ପ୍ରତିନିଧି ଦଳ ଅଂଶଗ୍ରହଣ କରିବ। ଏହା ମଧ୍ୟରେ ଓଡ଼ିଶାର ୨୯ ଜଣ ସାମିଲ। ଓଡ଼ିଶା ପ୍ରତିନିଧି ଦଳ ମଧ୍ୟରେ ୧୮ ଖେଳାଳି ଓ ୧୧ ଅଫିସିଆଲ ରହିବେ। ଖେଳାଳିଙ୍କ ମଧ୍ୟରୁ ୧୪ ଜଣ କିଟ୍‌, ୩ ଜଣ ସମ୍ବଲପୁର ଓ ଜଣେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ୱ କରିବେ। ଏମାନଙ୍କ ମଧ୍ୟରେ ୯ ମହିଳା ଓ ୯ ପୁରୁଷ ଖେଳାଳି ସାମିଲ। କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ନିଯୁକ୍ତ ହୋଇଛନ୍ତି।

ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ମୋଟ ୧୮ଟି ଗେମ୍‌ର ୨୬୯ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ୪୯ଟି ଭେନ୍ୟୁକୁ ପ୍ରସ୍ତୁତ କରାଯାଇଛି। ଏହା ମଧ୍ୟରେ ଗୋଟିଏ ଉଦ୍‌ଘାଟନୀ ସମାରୋହ ଭେନ୍ୟୁ, ୨୭ଟି ପ୍ରତିଯୋଗିତା, ୧୮ଟି ଟ୍ରେନିଂ ଏବଂ ୩ଟି ବ୍ୟାକ୍‌ଅପ୍‌ ଭେନ୍ୟୁ ସାମିଲ। ଭାରତୀୟ ପ୍ରତିନିଧି ଦଳରେ ଯେଉଁ ୩୨୫ ସାମିଲ ରହିବେ ସେମାନଙ୍କ ମଧ୍ୟରେ ଅଛନ୍ତି ୨୬୫ ଆଥଲେଟ୍‌ ଏବଂ ୬୦ ଅଫିସିଆଲ ଓ କୋଚ୍‌। ପ୍ରତିଯୋଗିତାରେ ମୋଟ ୭୦ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବେ। ଭାରତୀୟ ଆଥଲେଟ୍‌ମାନେ ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ଫେନ୍‌ସିଂ, ଜୁଡୋ, ଶୁଟିଂ, ସୁଇମିଂ, ଟେବୁଲ ଟେନିସ, ଟାଏକୋଣ୍ଡୋ, ଟେନିସ, ଭଲିବଲ, ଉଷୁ ଆଦି ୧୨ଟି ଗେମ୍‌ରେ ଅଂଶଗ୍ରହଣ କରିବେ। ଆଥଲେଟିକ୍ସରେ ସର୍ବାଧିକ ୪୦ ଏବଂ ଟେନିସ ଓ ଉଷୁରେ ୪ ଜଣ ଲେଖାଏ ପ୍ରତିଯୋଗୀ ଭାଗ୍ୟ ପରୀକ୍ଷା କରିବେ।

ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଅଫିସିଆଲଙ୍କ ମଧ୍ୟରେ ଗଗନେନ୍ଦୁ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ହୋଇଥିବାବେଳେ ଶୈଳେନ୍ଦ୍ର କୁମାର ଜେନା ଆଥଲେଟିକ୍ସ ମ୍ୟାନେଜର, କୈଳାସ ଚନ୍ଦ୍ର ଦାସ ଓ ସୁଶାନ୍ତ କୁମାର ଦାଶ ପ୍ରଶାସନିକ ଅଧିକାରୀ, ସନ୍ତୋଷ କୁମାର ଦାଶ ବ୍ୟାଡ୍‌ମିଣ୍ଟନ ସ୍ପୋଟର୍‌ସ ଅଫିସିଆଲ ଏବଂ ସଞ୍ଜୟ ଗଡ଼ନାୟକ କୋଚ୍‌ଭାବେ ଦାୟିତ୍ୱ ତୁଲାଇବେ।

Share