୫୫ ପ୍ରକଳ୍ପ ପାଇଁ ୧୮କୋଟି ୮୪ଲକ୍ଷ ଅଟକଳ ଧାର୍ଯ୍ୟ

ବାଲେଶ୍ୱର ଅଫିସ, ୧୪।୬ (ମାନସ ବିଶ୍ୱାଳ)
ବାଲେଶ୍ୱର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ କୃଷି ବିଭାଗକୁ ନେଇ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଚଳିତବର୍ଷ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମୋଟ ୫୫ ପ୍ରକଳ୍ପ ପାଇଁ ୧୮କୋଟି ୮୪ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ ବ୍ୟୟବରାଦ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ସମସ୍ତ ଜିଲାପରିଷଦ ସଭ୍ୟା/ସଭ୍ୟ, ସମସ୍ତ ବ୍ଲକ ଅଧ୍ୟକ୍ଷା/ଅଧ୍ୟକ୍ଷ ଉପସ୍ଥିତ ରହି ବ୍ଲକ ଏବଂ ଜୋନ୍‌ରେ ଚାଲିଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ।
ବାଲିଆପାଳଠାରେ ଥିବା ଝୋଟକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା ହେବା ସହ ପଞ୍ଚାୟତସ୍ତରରେ ଖାଲିପଡ଼ିଥିବା କୃଷକ ସାଥୀ ପଦବୀର ପୂରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପରିଷଦ ଅଧ୍ୟକ୍ଷ ପ୍ରଧାନ କହିଥିଲେ। ତତ୍‌ସହିତ ସମନ୍ବିତ କୃଷି ପ୍ରଣାଳୀରେ ଧାନ, ଝୋଟ, ନଳିତା, ମାଣ୍ଡିଆ, ସୋରିଷ, ବିରି, ମୁଗ ଆଦିକୁ ଚାଷ କରି କିପରି ଭାବରେ ଚାଷୀ ଲାଭବାନ ହେବ ସେ ବିଷୟରେ ପ୍ରତି ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପରିଷଦ ସଞ୍ଜୟ ସେଠୀଙ୍କ କହିବା ଅନୁଯାୟୀ ରୂପସା, ବସ୍ତା ଅଞ୍ଚଳର ଉନ୍ନତମାନର ଧାନଚାଷ ହେଉଛି କିନ୍ତୁ କୀଟନାଶକ ଔଷଧ ପାଇଁ ଚାଷୀବନ୍ଧୁମାନେ ପଶ୍ଚିମବଙ୍ଗ ଉପରେ କାହିଁକି ନିର୍ଭର କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ। ଏହା ଉପରେ ଆଲୋଚନା କରାଯାଇ କୀଟନାଶକ ଓଷଧର ଅଭାବକୁ ପୂରଣ କରାଯିବା ପାଇଁ ବିଭାଗୀୟ ଅଧିକାରୀ ସମ୍ମତି ଦେଇଥିଲେ।

Share