ଘାଟିରେ ଗାଡ଼ି ଓଲଟି ୯ବର୍ଷରେ ୧୮ ମୃତ

ନବରଙ୍ଗପୁର,୨୮ା୯(ସଦାଶିବ ପ୍ରହରାଜ):  ଚନ୍ଦାହାଣ୍ଡି ଘାଟି ନେଲାଣି ଅନେକ ଜୀବନ। ଉଜାଡ଼ି ଦେଲାଣି ବହୁ ସୁଖୀ ପରିବାର। ୯ବର୍ଷ ଭିତରେ ୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏହାଛଡ଼ା ଅନେକ ଛୋଟଛୋଟ ଦୁର୍ଘଟଣା ମଧ୍ୟ ଘଟୁଛି।
ଘାଟି ରାସ୍ତା ପୂର୍ବରୁ ସଂକୀର୍ଣ୍ଣ ଥିଲା। ପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଚଉଡ଼ା ରାସ୍ତା ତିଆରି କରାଗଲା। ରାସ୍ତାର ଦୁର୍ଘଟଣା ସ୍ଥଳ ନିକଟରେ ଲଗାଯାଇଥିବା ସୂଚନା ବୋର୍ଡ ଗୁଡିକ ଲୁହା ହୋଇଥିବାରୁ ଦୁର୍ବୃତ୍ତମାନେ କଡ଼ି ଚୋରି କରି ନେଇଯାଉଛନ୍ତି। ଯାହାକି ଗାଡି ଚାଳକଙ୍କ ପାଇଁ ବିପଦ ଆଣୁଛି। ୨୦୧୫ ଦଶହରା ସମୟରେ ଡାବୁଗାଁ ବ୍ଲକର ଏକ ଆଦିବାସୀ ନାଟ ଗାଡି ଚନ୍ଦାହାଣ୍ଡି ଯାଉଥିବାବେଳେ ଘାଟି ତଳକୁ ଖସି ପଡ଼ିଥିଲା। ଏଥିରେ ୧୧ଜଣଙ୍କ ମତ୍ୟୁ ହୋଇଛି। ୨୦୧୮ ନଭେମ୍ବର ୧୧ରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଚନ୍ଦାହାଣ୍ଡି ଅରବିନ୍ଦ ପାଠଚକ୍ର ସମ୍ମିଳନୀକୁ ବସରେ ଛାତ୍ରୀଛାତ୍ରଙ୍କ ସହ ଲଳିତ ମୋହନ ପଟନାୟକ ଓ ସ୍କୁଲର ୪ ଜଣ କର୍ମଚାରୀ ଯାଉଥିଲେ। ବସ ଘାଟି ତଳକୁ ଖସିପଡ଼ିବାରୁ ଲଳିତ ମୋହନଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ୨୦୧୯ରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଲା। ଉକ୍ତ ଚାଉଳ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ବୋଲି ତଦନ୍ତରେ ଜଣା ପଡ଼ିଲା। ତାହା ଚୋରା ଚାଲାଣ ହୋଇ ଚନ୍ଦାହାଣ୍ଡି ଆଡକୁ ଯାଉଥିବାବେଳେ ଘାଟିରେ ଓଲଟି ପଡିଲା। ଏହିଘଟଣାର ଏବେବି ତଦନ୍ତ ଚାଲିଛି। ୨୦୨୦ କୋଭିଡ ସମୟରେ ଏକ ପାଇପ ବୋଝେଇ ଟ୍ରକ ଚନ୍ଦାହାଣ୍ଡି ଯାଉଥିଲା। ଘାଟିରେ ତାହା ଓଲଟି ପଡିବାରୁ ଡ୍ରାଇଭର ଥଥା ମାଲିକଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ  ଉମରକୋଟରୁ ଏକ ବସ୍‌ରେ ସ୍କୁଲ ପିଲାମାନେ  ଯାଉଥିଲେ। ଉକ୍ତ ବସ୍‌ଯି ଘାଟିରେ   ଭାରସାମ୍ୟ ହରାଇ ଘାଟିରେ ଓଲଟି  ପଡ଼ିବାରୁ   ଜଣେ ଖେଳ ଶିକ୍ଷକଙ୍କର ମୃତ୍ୟୁ  ହୋଇଛି। ମୃତକ ହେଲେ   ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଭାସ କୁମାର ଜେନା(୨୪ )। ଏଥିରେ ୩୪ ଛାତ୍ରୀଛାତ୍ର  ଆହତ ହୋଇଛନ୍ତି। ଏହାଛଡ଼ା ଏହିଭଳି ଅନେକ ଛୋଟ ବଡ଼ ଦୁର୍ଘଟଣା ଚନ୍ଦାହାଣ୍ଡି ଘାଟିରେ  ଅନେକ ସମୟରେ ଘଟିଛି। ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି।
Share