ପେନ୍‌ସନ ପ୍ରଦାନରେ ବିଳମ୍ବ ହେଲେ ଆଦାୟ ହେବ ୧୮% ସୁଧ

ଭୁବନେଶ୍ୱର,୫।୭(ଅନିଲ ଦାସ): ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଚାକିରିରୁ ଅବସର ଦିନ ହିଁ ପେନ୍‌ସନ ସୁବିଧା ପାଇବା ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ବହୁସଂଖ୍ୟକ କର୍ମଚାରୀ ଦୀର୍ଘଦିନ ଧରି ନିଜର ପେନ୍‌ସନ ପାଇବାକୁ ଅପେକ୍ଷା କରି ରହିଛନ୍ତି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ପ୍ରଶାସନିକ ବିଭାଗ ମୁଖ୍ୟଙ୍କୁ କଡ଼ା ତାଗିଦ କରିଛନ୍ତି। ଏଥିସହିତ ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବ ହେଲେ ପେନ୍‌ସନଧାରୀ ବାର୍ଷିକ ୧୮% ସୁଧ ହାରରେ ପେନ୍‌ସନ ପାଇବାକୁ ହକ୍‌ଦାର। ପେନ୍‌ସନ ପ୍ରଦାନରେ ବିଳମ୍ବ ପାଇଁ ଯେଉଁ ଅଫିସର ବା କର୍ମଚାରୀ ଦାୟୀ ରହିବେ ତାଙ୍କଠାରୁ ଏହି ସୁଧ ଅର୍ଥ ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସିଭିଲ୍‌ ସର୍ଭିସ (ପେନ୍‌ସନ) ରୁଲ୍‌ସ-୧୯୯୨ ଅନୁସାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପ୍ରଦାନ କରିବା ସରକାରଙ୍କ କର୍ତ୍ତବ୍ୟ। ମାତ୍ର ବହୁ ସଂଖ୍ୟକ ପେନ୍‌ସନ ମାମଲା ଏବେ ବିଭିନ୍ନ ସ୍ତରରେ ପ୍ରଶାସନିକ ବିଭାଗ ଓ ଅଧସ୍ତନ ଅଫିସଗୁଡ଼ିକରେ ପଡ଼ିରହିଛି। ବିଭାଗଗୁଡ଼ିକର ପଦକ୍ଷେପ ଓ ଅଗ୍ରଗତି ମଧ୍ୟ ଏ ଦିଗରେ ସନ୍ତୋଷଜନକ ନୁହେଁ। ସମସ୍ତ ପ୍ରଶାସନିକ ବିଭାଗ ସାଧାରଣ ପ୍ରଶାସନ ଦ୍ୱାରା ଜାରି ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପେନ୍‌ସନ ପ୍ରଦାନ ଉପରେ ଗୁରୁତ୍ୱ ଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାସହିତ ମାସର ପ୍ରଥମ ସପ୍ତାହ ସୁଦ୍ଧା ଇ-ମେଲ୍‌ ମାଧ୍ୟମରେ ଏକ ନିର୍ଦ୍ଧାରିତ ଫର୍ମାଟରେ କେତେ ପରିମାଣର ପେନ୍‌ସନ ମାମଲା ପଡ଼ିରହିଛି ଓ କେତେ ସଂଖ୍ୟକ ସମାଧାନ ହୋଇଛି ତାହା ନିୟମିତ ଭାବେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫର୍ମାଟରେ ପ୍ରତ୍ୟେକ ବିଭାଗର ନାମ, ମାସ ଆରମ୍ଭରୁ କେତେ ସଂଖ୍ୟକ ପେନ୍‌ସନ ମାମଲା ପଡ଼ିରହିଛି, ସେହି ମାସରେ କେତେ ସଂଖ୍ୟକ ପେନ୍‌ସନ ମାମଲା ଯୋଡ଼ିହୋଇଛି, କେତେ ଜଣଙ୍କୁ ପ୍ରୋଭିଜନାଲ ଓ ଫାଇନାଲ ପେନ୍‌ସନ ପ୍ରଦାନ କରାଯାଇଛି, ବିଭାଗରୁ ଅବସର ନେଇଥିବା କେତେ ସଂଖ୍ୟକ କର୍ମଚାରୀଙ୍କ ପେନ୍‌ସନ ସଂକ୍ରାନ୍ତ ଦସ୍ତାବିଜ ପୈଠ ହୋଇନି ଏ ସବୁର ବିସ୍ତୃତ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share