ନକଲି କୋର୍ଟ ଅର୍ଡର ଦେଇ ନେଇଛନ୍ତି ୧୮ଲକ୍ଷ

ଭୁବନେଶ୍ୱର,୧୫।୧(ବ୍ୟୁରେ): କିଡ୍‌ନୀ ଯୋଗାଇଦେବା ନାଁରେ ଠକେଇ ର଼୍ୟାକେଟର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ର଼୍ୟାକେଟ ମୁଖ୍ୟ କେନ୍ଦ୍ରାପଡାର ହିମାଂଶୁ ଭୂଷଣ ନନ୍ଦ(୩୨)ଙ୍କୁ ନୟାପଲ୍ଲୀ ପୋଲିସ ଗିରଫ ପରେ ତାଙ୍କ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। କିଡ୍‌ନୀ ଯୋଗାଇ ଦେବାକୁ କହି ନକଲି କୋର୍ଟ ଅର୍ଡର ଦେଖାଇ ହିମାଂଶୁ ୧୮ଲକ୍ଷ ୫୩ ହଜାର ଟଙ୍କା ଠକି ନେଇଥିବା ମଞ୍ଚେଶ୍ୱର ଥାନାରେ ଗୁରୁବାର ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ପ୍ରାୟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସନ୍ଦେହ କରୁଛି।
ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଅଞ୍ଚଳରେ ଅଶୋକ ନାୟକଙ୍କର କିଡ୍‌ନୀ ଆବଶ୍ୟକ ଥିବାରୁ ଏଥିପାଇଁ ସେ ଏକ ବିଜ୍ଞାପନ ଦେଇଥିଲେ। ହିମାଂଶୁ ଉକ୍ତ ବିଜ୍ଞାପନରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଅଶୋକଙ୍କୁ ଯୋଗାଯୋଗ କରି କିଡ୍‌ନୀ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି କୋର୍ଟର ଏକ ନକଲି ଅର୍ଡର ଦେଇ ବିଶ୍ୱାସ ଜନ୍ମାଇବା ପରେ ହିମାଂଶୁ ତାଙ୍କଠାରୁ ୧୮ ଲକ୍ଷ ୫୩ ହଜାର ଟଙ୍କା ନେଇଥିଲେ। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କିଡ୍‌ନୀ ଦେଇ ନ ଥିଲେ କି ଆଉ ଧରାଛୁଆଁ ଦେଇ ନ ଥିଲେ। ତେବେ ଅଭିଯୁକ୍ତ ହିମାଂଶୁ ଗିରଫ ହୋଇଥିବା ଜାଣିବା ପରେ ଅଶୋକ ଥାନାରେ ଅଭିଯୋଗ କରିଛନ୍ତି। କେବଳ ଅଶୋକ ନୁହନ୍ତି, ଠକେଇର ଶିକାର ହୋଇଥିବା ଭୁବନେଶ୍ୱରର ବହୁ ଲୋକ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ନୟାପଲ୍ଲୀ ଥାନା ପରେ ଲକ୍ଷ୍ମୀସାଗର ଓ ମଞ୍ଚେଶ୍ୱର ଥାନାରେ ହିମାଂଶୁଙ୍କ ବିରୋଧରେ ୩ ଅଭିଯୋଗ ହୋଇଛି। ସେ ଏକୁଟିଆ ଏହି ର଼୍ୟାକେଟ ଚଳାଇଥିଲେ ନା ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ କାହାଠାରୁ କେତେଟଙ୍କା ଠକି ନେଇଛନ୍ତି ତାହା ଜାଣିବାକୁ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବାକୁ ଶୁକ୍ରବାର କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି।

ଠକେଇର ଶିକାର ଲୋକେ ପୋଲିସକୁ ଜଣାନ୍ତୁ: ଡିସିପି
କିଡ୍‌ନୀ ପ୍ରତିରୋପଣ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍‌ ରହିଛି। ଡିଏମ୍‌ଇଟିଙ୍କ ବିନା ଅନୁମତିରେ କିଡ୍‌ନୀ ପ୍ରତିରୋପଣ ହୁଏ ନାହିଁ। କାହା କିଡ୍‌ନୀ କାହା ଦେହରେ ଲାଗିବ, ସେ ସମ୍ପର୍କରେ ଡୋନର୍‌ ବି ଜାଣି ନ ଥାନ୍ତି। ଯେଉଁମାନେ ଟଙ୍କା ନେଇ କିଡ୍‌ନୀ ଦେବାକୁ କହୁଛନ୍ତି, ସେମାନଙ୍କଠାରୁ ଦୂରେଇ ରୁହନ୍ତୁ। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି, ସେମାନେ ପୋଲିସ ନିକଟରେ ତୁରନ୍ତ ଅଭିଯୋଗ କରିବାକୁ ଡିସିପି ଉମାଶଙ୍କର ଦାଶ ଅନୁରୋଧ କରିଛନ୍ତି।

Share