ଏହି ଦେଶରେ ମିଳିବ ସହାୟକ ଚାକିରି, ପ୍ରାରମ୍ଭିକ ଦରମା ୧୮.୫ ଲକ୍ଷ

ଲଣ୍ଡନ,୨୯ା୧୦: କରୋନା ମହାମାରୀ ସମୟରେ ଅଧିକାଂଶ ଲୋକଙ୍କ ଚାକିରି ଚାଲିଯାଇଛି। ଏହି ସମୟରେ ଚାକିରିଟିଏ ପାଇବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଚାକିରି ପାଇଁ ଏକ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ବିଜ୍ଞପ୍ତି ବାହାରିଛି। ଏଥିରେ ଘରୋଇ ସହାୟିକା/ସହାୟକ ନିମନ୍ତେ ଆବେଦନ କରିହେବ। ପ୍ରାରମ୍ଭିକ ଦରମା ୧୮.୫ ଲକ୍ଷ ଟଙ୍କା ରହିଛି। ଆବେଦନ ତାରିଖ ୧ ନଭେମ୍ବର ରହିଥିବା ବେଳେ ୨ ତାରିଖରେ ଇଣ୍ଟରଭ୍ୟୁ ହେବ।


ଏହି ଚାକିରି ବିଷୟରେ ସୂଚନା ବ୍ରିଟେନର ରାଜ ପରିବାର ଅଫଇସିଆଲ ଓ୍ବେବ୍‌ସାଇଟ୍‌ ‘ଦ ରୟାଲ ହାଉସ’ରେ ଦିଆଯାଇଛି। ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହା ହେଉଛି ଏକ ଲେବଲ ୨ ଆପ୍ରେଣ୍ଟିଶିପ୍‌ ଚାକିରି। ଯେଉଁ ପୋଷ୍ଟର ନାମ ଗୃହରକ୍ଷୀ ବା ଘରୋଇ ସହାୟକ। ଏହି ଚାକିରି ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ବ୍ରିଟେନର ଓ୍ବିଣ୍ଡସର ଦୁର୍ଗରେ କାର୍ଯ୍ୟ କରିବାକୁ ପଡ଼ିବ। ସପ୍ତାହରେ ୫ ଦିନ କାମ ଏବଂ ଦୁଇଦିନ ଛୁଟି ରହିବ। ଏହା ବ୍ୟତୀତ ମନୋନୀତ ପ୍ରାର୍ଥୀ ୧ ବର୍ଷ ମଧ୍ୟରେ ୩୩ ଦିନ ଛୁଟି ପାଇପାରିବେ।
ଦରମା ବ୍ୟତୀତ ମନୋନୀତ ପ୍ରାର୍ଥୀଙ୍କ ଜୀବିକା ଖର୍ଚ୍ଚ ବ୍ରିଟେନ ରାଜ ପରିବାର ମଧ୍ୟ ପ୍ରଦାନ କରିବେ। କେବଳ ଏତିକି ନୁହେଁ, ଚାକିରିରେ ଯାତ୍ରା ଖର୍ଚ୍ଚ ମଧ୍ୟ ଅଲଗା ଭାବେ ଉପଲବ୍ଧ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାକିରି ପାଇଁ ପ୍ରାର୍ଥୀ ଇଂରାଜୀ ଏବଂ ଗଣିତରେ ପାରଦର୍ଶୀ ହେବା ବାଧ୍ୟତାମୂଳକ।


ଏହି ଚାକିରି ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ୧୩ ମାସ ତାଲିମ ଦିଆଯିବ। ଏହାପରେ ରାଜ ପରିବାର ଦ୍ୱାରା ସ୍ଥାୟୀ କର୍ମଚାରୀ ଭାବେ ନଯୁକ୍ତି ପାଇବେ। ମୁଖ୍ୟ କାର୍ଯ୍ୟ ହେଲା ରାଜପ୍ରାସାଦ ପରିସର ସଫାସୁତରା କରିବା। ଏଥିସହିତ ରାଜପ୍ରାସାଦ ମଧ୍ୟରେ ଥିବା ଜିନିଷଗୁଡ଼ିକର ଯତ୍ନ ନେବାକୁ ମଧ୍ୟ ପଡ଼ିବ। କହିରଖୁଛୁ, ବ୍ରିଟେନରେ ରାଜପ୍ରାସାଦରେ ଶହ ଶହ ଲୋକ କାମ କରନ୍ତି। ସେମାନଙ୍କର ଦରମା ମଧ୍ୟ ବହୁତ ଭଲ।

Share