ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ

ଭୁବନେଶ୍ୱର, ୧୮।୨(ଅସମାପିକା ସାହୁ)- ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ। ଚଳିତ ଶିକ୍ଷାବର୍ଷଠାରୁ ଏସବୁ କଲେଜ କାର୍ଯ୍ୟକ୍ଷମ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ନିଜ ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଲୋକମାନେ ଅନୁରୋଧ କରିଥିଲେ। ଯାହାକୁ ଭିତ୍ତି କରି ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ୧ ହଜାର ୫୬ ଜଣ ଅଧ୍ୟାପକଙ୍କୁ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ଜରିଆରେ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ୨୦୦୦ ମସିହାରେ ଓଡ଼ିଶାରେ ୫୪୮ଟି ଡିଗ୍ରୀ କଲେଜ ଥିଲା। ଏବେ ୧ ହଜାର ୪୦ରେ ପହଞ୍ଚତ୍ଛି। ବିଶ୍ବବିଦ୍ୟାଳୟ ସଂଖ୍ୟା ୫ରୁ ବୃଦ୍ଧି ପାଇ ୨୪ରେ ପହଞ୍ଚତ୍ଛି। ଯେଉଁଥିରେ ୧୭ଟି ସରକାରୀ ଓ ୭ଟି ବେସରକାରୀ ବିଶ୍ବବିଦ୍ୟାଳୟ ରହିଛି। କିଛି ଦିନ ପୂର୍ବରୁ ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇଛି। ରାଜ୍ୟରେ ୨୧ଟି ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ମଧ୍ୟ ଖୋଲିଛି। କଲେଜଗୁଡ଼ିକର ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇଥିବାରୁ ଛାତ୍ରୀଛାତ୍ର ସ୍ମାର୍ଟ କ୍ଲାସରୁମ ଓ ଲାବରେଟୋରି ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଛାତ୍ରୀଛାତ୍ର ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆଦିର ଲାଭ ନେଇପାରିବେ। ସେହିପରି ବିଜୁ ଯୁବ ସଶକ୍ତିକରଣ ଯୋଜନା, ଗ୍ରୀନ୍‌ ପ୍ୟାସେଜ୍‌ ଯୋଜନା, ମାଗଣା ସିଭିଲ୍‌ ସର୍ଭିସ କୋଚିଂ ଭଳି ବିଭିନ୍ନ ଯୋଜନା କରାଯାଇଛି। ମୋ କଲେଜ ଅଭିଯାନ ଅଧୀନରେ ବହୁ ପୁରାତନ ଛାତ୍ରୀଛାତ୍ର କଲେଜ ସହ ଯୋଡ଼ି ହୋଇ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରାଯଉଛି। କଲେଜଗୁଡ଼ିକରେ ଖାଲିଥିବା ପଦବୀ ପୂରଣ ଲାଗି ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୨୦୨୨-୨୩ ଶିକ୍ଷାବର୍ଷରେ ୪୬୭ ଜଣ ନିଯୁକ୍ତି ପାଇଥିବା ବେଳେ ୨୦୨୩-୨୪ରେ ୧ ହଜାର ୩୩ ଜଣ ମନୋନୀତ ହୋଇଛନ୍ତି। ଲାପଟପ ଯୋଜନା ଦ୍ବାରା ଯୋଗ୍ୟ ଛାତ୍ରୀଛାତ୍ରଙ୍କ ଆକାଉଣ୍ଟକୁ ସିଧାସଳଖ ୩୦ ହଜାର ଟଙ୍କା ପଠା ଯାଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Share