Categories: ଜାତୀୟ

ପୁଣି ଏକ ରୋଗର ଭୟ, ଚିନ୍ତାରେ ଡାକ୍ତର

ମୁମ୍ବାଇ,୨୨।୭:ଭାରତରେ କରୋନା ଭାଇରସ୍‌ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଛି। ଏହି ରାଜ୍ୟରେ କରୋନା ସାଙ୍ଗକୁ ଆଉ ଏକ ରୋଗର ଭୟ ସୃଷ୍ଟି ହୋଇଛି। ମୁମ୍ବାଇର ଓ୍ବାଡିଆ ହସ୍ପିଟାଲରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ୧୦୦ ଶିଶୁଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮ ଜଣ ଶିଶୁ ପେଡିଟ୍ରିକ୍‌ ମଲ୍ଟିସିଷ୍ଟମ ଇନ୍‌ଫ୍ଲାମେଟୋରୀ ସିଣ୍ଡ୍ରୋମ୍‌(ପିଏମ୍‌ଆଇଏସ୍‌) ରୋଗର ଶିକାର ହୋଇଛନ୍ତି। ଡାକ୍ତରଙ୍କ ମୁତାବକ, ପିଏମ୍‌ଆଇଏସ୍‌ ରୋଗର ଲକ୍ଷଣ ସାମାନ୍ୟ। ଏହି ରୋଗ ହେଲେ ଜ୍ୱର ଆସିବା, ଚର୍ମରେ ଦାଗ, ଆଖି ପୋଡିବା, ପେଟ ରୋଗ ଆଦି ଲକ୍ଷଣମାନ ଦେଖାଯାଏ। ୧୦ ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଏହି ରୋଗ ହୋଇଥାଏ। ପିଲାମାନଙ୍କୁ କରୋନା ସହ ଏହି ରୋଗ ହେବା ଡାକ୍ତରଙ୍କୁ ଚିନ୍ତାରେ ପକାଇଛି। ସମ୍ପୃକ୍ତ ୧୮ ଶିଶୁଙ୍କ ମଧ୍ୟରୁ ୨ ଜଣ କରୋନାରୁ ସୁସ୍ଥ ହେବା ପରେ ପିଏମ୍‌ଆଇଏସ୍‌ରେ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଛନ୍ତି। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟ ସ୍ଥାନରେ ମଧ୍ୟ ଏହାର ଡାଟା ମଗାଯାଉଥିବା କୁହାଯାଇଛି।

Share