ଥାଣେ,୧୩।୮: ମହାରାଷ୍ଟ୍ରର ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ମହିଳା ଏବଂ ୮ ପୁରୁଷ ଥିବା ବେଳେ ଘଟଣାକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଛି। ଏଭଳି ସ୍ଥିତିକୁ ନେଇ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଯାଞ୍ଚ ଲାଗି ସ୍ବତନ୍ତ୍ର କମିଟି ଗଠନ ହୋଇଥିବା କହିଛନ୍ତି। ସ୍ଥିତି ସମ୍ପର୍କରେ ପଚାରି ବୁଝିବା ପରେ ସେ ଯାଞ୍ଚ କମିଟି ଗଢ଼ିଛନ୍ତି, ଯାହାର ଅଧ୍ୟକ୍ଷତା କରିବେ ସ୍ବାସ୍ଥ୍ୟ ସେବା କମିଶନର। କମିଟି ରୋଗୀଙ୍କୁ ଦିଆଯାଉଥିବା ସେବାର ତର୍ଜମା କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିବ। ଯେଉଁମାନେ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ନେଇ ବୟାନ ଦେଉଛନ୍ତି ତାକୁ ଗୁରୁତର ସହ ନିଆଯିବ ବୋଲି ସେ କହିଛନ୍ତି।
ପୂର୍ବରୁ ଅଗଷ୍ଟ ୧୦ ରେ ଗୋଟିଏ ଦିନରେ ପ୍ରାୟ ୫ ରୋଗୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଡାକ୍ତରଖାନାକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଥିଲା। ମାତ୍ର ୩ ଦିନ ପରେ ପୁଣି ଥରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।