Categories: ଫୁରସତ

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ ସହ ସମ୍ପର୍କ ମଧ୍ୟରେ ସମନ୍ବୟ ରଖିବାକୁ ପ୍ରତି ସପ୍ତାହରେ ୧୮ ହଜାର କି.ମି. ଯାତ୍ରା କରୁଥିଲେ।
ଶାନ୍‌ଡୋଙ୍ଗ ପ୍ରଦେଶର ଦେଝୋଉ ବାସିନ୍ଦା ୨୮ ବର୍ଷୀୟ ଜୁ ଗୁଆଙ୍ଗ୍‌ଲି ନିକଟରେ ଅଷ୍ଟ୍ରେଲିଆର ମେଲବୋର୍ନରେ ଥିବା ଆର୍‌ଏମ୍‌ଆଇଟି ୟୁନିଭର୍ସିଟିରୁ ଆର୍ଟ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତେବେ ଗତ ଅଗଷ୍ଟରୁ ଅକ୍ଟୋବର ଯାଏ, ନିଜର ୧୧ ସପ୍ତାହର ଯାତ୍ରାକୁ ଏକ ଡକୁମେଣ୍ଟ୍‌ କରି ଜୁ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି। ଜୁ ୩ ମାସ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଚାଇନାରେ ଥିବା ତାଙ୍କ ଘରୁ ମେଲବୋର୍ନର ଆର୍‌ଏମ୍‌ଆଇଟି ବିଶ୍ୱବିଦ୍ୟାଳୟକୁ ଯିବାଆସିବା କରୁଥିଲେ।
ସେ ମେଲବୋର୍ନରେ ନିଜ କ୍ଲାସ୍‌ ଆଟେଣ୍ଡ କରିବା ପାଇଁ ପ୍ରତି ସପ୍ତାହରେ ଅନେକ ହଜାର ମାଇଲ ଅତିକ୍ରମ କରି ଅଷ୍ଟ୍ରେଲିଆରେ ପହଞ୍ଚୁଥିଲେ। ସେହିପରି ପ୍ରତି ସପ୍ତାହରେ ନିଜ ଅଧ୍ୟୟନ ସମାପ୍ତ କରିବା ପରେ ସେ ପୁଣି ଚାଇନା ଫେରି ତାଙ୍କ ପ୍ରେମିକାଙ୍କ ସହ ସମୟ ବିତାଉଥିଲେ। ଏନେଇ ଜୁ ଏକ ଗଣମାଧ୍ୟମକୁ କହିଛନ୍ତି, ସେ ମେଲବୋର୍ନରେ ତାଙ୍କ ପ୍ରେମିକାଙ୍କ ବିନା ଏକାପଣ ଅନୁଭବ କରୁଥିଲେ। ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ତାଙ୍କର ଶେଷ ସେମିଷ୍ଟର ଚାଲିଥିବାରୁ ସପ୍ତାହକୁ ଅତି ବେଶିରେ ୩ ଦିନ କ୍ଲାସ୍‌ ହେଉଥିଲା। ତେଣୁ ସେ ଏହାର ଫାଇଦା ନେଇ ପାରୁଥିଲେ।

Share