୧୮ରୁ ଊଦ୍ଧର୍‌ବ ଗ୍ରାମ ଜଳମଗ୍ନ

କୋରେଇ,୪ା୮(ଚନ୍ଦ୍ରକାନ୍ତ ପତି): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ଚଳିତବର୍ଷ ପ୍ରଥମ ବନ୍ୟା ଆସିଛି। ବନ୍ୟା ଯୋଗୁ କୋରେଇ ବ୍ଲକ ଅଧୀନ ରଣପୁର, ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ଅମୃତିଆ, ଅଶନଝର ଓ ମୂଳାପାଳ ଆଦି ୭ ପଞ୍ଚାୟତର ୧୮ରୁ ଊଦ୍ଧର୍‌ବ ଗ୍ରାମ ପ୍ରଭାବିତ ହୋଇଛି। ଏସବୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ ଓ ଗାଁ ଦାଣ୍ଡରେ ବନ୍ୟାଜଳ ଲହଡ଼ି ମାରୁଛି। ଅଧିକାଂଶ ଘରେ ଜଳ ପ୍ରବେଶ କରିଥିବାରୁ ଲୋକେ ନାନାଦି ଅସୁବିଧା ଭୋଗୁଛନ୍ତି। କିଛି ଗାଁ ବନ୍ୟାଜଳ ଘେରରେ ରହିଥିବାବେଳେ ସେଠାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟାଜଳରେ ବିଭିନ୍ନ ପ୍ରକାର ସରୀସୃପ ଭାସି ଲୋକଙ୍କ ଘରେ ପଶୁଥିବା ଜଣାପଡ଼ିଛି। ଚାଷ ଜମିରେ ଜଳ ମାଡ଼ି ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ବ୍ଲକରେ ଗୁରୁବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କୋରେଇ ବିଧାୟକ ଅଶୋକ କୁମାର ବଳ, ବିଡିଓ ରଞ୍ଜନ କୁମାର ପରିଡ଼ା, ତହସିଲଦାର ଅଶୋକ କୁମାର ମାଝିଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ବନ୍ୟାଞ୍ଚଳ ପରିଦର୍ଶନ କରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବନ୍ୟାଜଳ ହ୍ରାସ ପାଇବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି।

Share